ସ୍ପଷ୍ଟ ଦିବାଲୋକରେ ବସ୍‌ ଭିତରେ ଯୁବତୀଙ୍କୁ ଅସଦାଚରଣ, ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୭ା୮(ଦେବପ୍ରିୟ ରଣା): କେନ୍ଦୁଝରରୁ ବଡ଼ବିଲ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଭିତରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ବଡ଼ବିଲ ବସ୍‌ଷ୍ଟାଣ୍ଡରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ବିଲ ଥାନା ରାଜୀବ ବିହାର ଅଞ୍ଚଳର ଏକ ଘରୋଇ କମ୍ପାନୀର ଏସ୍‌ଏସ୍‌ଏବି ନାମକ ଗେଷ୍ଟ ହାଉସ୍‌ରେ ରହୁଥିବା ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସତ୍ୟବ୍ରତ ନାୟକ।

ପ୍ରାପ୍ତ ସୂଚନାନୁଯାୟୀ, କେନ୍ଦୁଝରରୁ ଆସୁଥିବା ବର୍ଷା ନାମକ ଯାତ୍ରୀବାହୀ ବସ୍‌ରେ ମଙ୍ଗଳବାର ଅପରାହ୍ନ ୨ଟା ୪୫ରେ ବଡ଼ବିଲ ଅଞ୍ଚଳର ଜଣେ ଯୁବତୀ ରିମୁଳିରୁ ଚଢ଼ିଥିଲେ। ବସ୍‌ରେ ଦୁଇ ଟିକିଆ ସିଟ୍‌ ଥିବାବେଳେ ଗୋଟିଏ ସିଟ୍‌ ଖାଲିଥିବାରୁ ଯୁବତୀ ଜଣକ ବସିଥିଲେ। ତେବେ ଯୁବତୀଙ୍କ ସିଟ୍‌କୁ ଲାଗିଥିବା ସିଟ୍‌ରେ ପୂର୍ବରୁ ବସିଥିବା ଅଭିଯୁକ୍ତ ଜଣକ ଯୁବତୀ ଜଣକ ବସିବା ପରଠାରୁ ଅସଦ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ବସ୍‌ କଣ୍ଡକ୍ଟରଙ୍କୁ କହି ସିଟ୍‌ ବଦଳାଇ ଅଭିଯୁକ୍ତ ସତ୍ୟବ୍ରତ ଯୁବତୀଙ୍କ ସମ୍ମୁଖକୁ ଯାଇ ଛଡ଼ାହୋଇ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏ ସମ୍ପର୍କରେ ଯୁବତୀ ଜଣକ ବସ୍‌ କଣ୍ଡକ୍ଟର ଓ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ବସ୍‌ଟି ବଡ଼ବିଲସ୍ଥିତ ପୁରୁଣା ବସଷ୍ଟାଣ୍ଡଠାରେ ପହଞ୍ଚିବା ବେଳକୁ ପୂର୍ବରୁ ଛକି ରହିଥିବା ଯୁବତୀଙ୍କ ପରିବାର ଓ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ। ପରେ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ବଡ଼ବିଲ ପୋଲିସ ଥାନା କେସ୍‌ ନଂ ୨୩୯/୨୦୨୪ରେ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତ ସତ୍ୟବ୍ରତଙ୍କୁ ବଡ଼ବିଲ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ସତ୍ୟବ୍ରତ ଜାମିନ ନିମନ୍ତେ ଆବେଦନ କରିଥିଲେ ହେଁ ଜାମିନ ଖାରଜ କରି ସତ୍ୟବ୍ରତଙ୍କୁ ବଡ଼ବିଲ ସବ୍‌ଜେଲକୁ ପଠାଯାଇଥିବା ଜଣାପଡ଼ିଛି।