ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ। ସେ ସର୍ବଦା ନିଜ କାମ ପ୍ରତି ସମର୍ପିତ ଥାନ୍ତି। କ୍ୟାରିୟର ଆରମ୍ଭରୁ ସେ ଏଭଳି। ଉଦାହରଣ ଚାହୁଁଥିଲେ ଚଳଚ୍ଚିତ୍ର ‘ହିନ୍ଦୁସ୍ତାନୀ’ର କିଛି ସ୍ମୃତି ନିଆଯାଇପାରେ। ଏହାର ଶୁଟିଂ ସମୟରେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ଅମିତାଭ ଦୀର୍ଘ ୬ ଦିନ ଯାଏ ମୁହଁ ଧୋଇ ନ ଥିଲେ।
ନିର୍ଦ୍ଦେଶକ ଖ୍ବାଜା ଅହମ୍ମଦ ଅବ୍ବାସଙ୍କ ଫିଲ୍ମ ‘ହିନ୍ଦୁସ୍ତାନୀ’ କରୁଥିଲେ ଅମିତାଭ। ଏହାର ଶୁଟିଂ ଗୋଆରେ ଚାଲିଥିଲା। ଅମିତାଭଙ୍କ ମେକ୍ଅପ୍ ଲୋକପ୍ରିୟ ପଣ୍ଢରୀ ଜୁକର କରୁଥିଲେ। ହେଲେ ତାଙ୍କୁ କୌଣସି କାମ ପାଇଁ ୭ ଦିନ ପାଇଁ ମୁମ୍ବାଇରେ ଥିବା ଘରକୁ ଯିବାକୁ ପଡ଼ିଥିଲା। ଏଣୁ ପଣ୍ଢରୀ ଅମିତାଭଙ୍କୁ କ’ଣ କରିବେ ବୋଲି ପଚାରିଥିଲେ। ଅଭିନେତା ତାଙ୍କୁ ମେକ୍ଅପ୍କୁ ସମ୍ଭାଳି ରଖିବେ ବୋଲି ଜବାବ ଦେଇଥିଲେ। ତାହା ହିଁ ହୋଇଥିଲା। ଦୀର୍ଘ ୬ ଦିନ ଧରି ଅମିତାଭ ମୁହଁ ତଳକୁ ଧୋଉଥିଲେ। ମେକ୍ଅପ୍କୁ ସେହିଭଳି ଲଗାଇ ରଖିଥିଲେ।
ପଣ୍ଢରୀ ଫେରିବା ପରେ ଅମିତାଭଙ୍କୁ ଦେଖି ଚକିତ ହୋଇଯାଇଥିଲେ। କାରଣ ସେ ସତରେ କଥା ରଖିଥିଲେ। ଚରିତ୍ର ଯୋଗୁ ଅମିତାଭ ଦାଢ଼ୀ ଲଗାଇଥିଲେ। ଏଣୁ ସେ କିଭଳି ମେକ୍ଅପ୍ ଥାଇ ଖାଇଥିଲେ, ଶୋଇଥିଲେ ସେ କଥା ଭାବି ସେ ଖୁସି ହୋଇଥିଲେ। ଅମିତାଭଙ୍କୁ ଆଶୀର୍ବାଦ କରି ତୁମେ ବହୁତ ଆଗକୁ ଯିବ, କାମ ପ୍ରତି ସମର୍ପଣ ଯୋଗୁ ଦିନେ ନା ଦିନେ ତୁମେ ସୁପରଷ୍ଟାର ହେବ ବୋଲି କହିଥିଲେ।