Categories: ଖେଳ

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ

ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍‌ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାର୍କ।

ଜିଓ ସିନେମାକୁ ସାକ୍ଷାତକାର ଦେଇ ଷ୍ଟାର୍କ କହିଛନ୍ତି, ନିଶ୍ଚିତ ଭାବେ ଏହା ଚମକାଇବା ଭଳି ଖବର ଥିଲା। ଏହା ବିଷୟରେ ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି। ଦାମୀ ଖେଳାଳି ବୋଲି ଚାପରେ ତ ନିହାତି ରହିବି। ହେଲେ ଆଶା କରୁଛି ଯେ ଆଇପିଏଲ୍‌ରେ ବିଗତ ଦିନର ଅନୁଭବକୁ ବିନିଯୋଗ କରି ଲାଭ ଉଠାଇପାରିବି। ପୂର୍ବରୁ ମଧ୍ୟ ମୁଁ ଅନେକ ଉତ୍ଥାନ ପତନ ଦେଖିଛି। ଏହା ଅନୁଭବ ସହ ଆସିଛି। ମୁଁ ଯେତେସମ୍ଭବ ସଫଳ ହେବା ଏବଂ ନିଜର ପ୍ରଭାବ ଛାଡ଼ିବାକୁ ଚେଷ୍ଟା କରିଥାଏ ବୋଲି ସେ କହିଛନ୍ତି। ଏହାଛଡ଼ା ସେ ନିଲାମ ପ୍ରକ୍ରିୟାକୁ ଦେଖିବା ପରେ ବିନମ୍ର ଅନୁଭବ କରିଥିବା କହିଛନ୍ତି।

କହିରଖୁଛୁ, ୨୦୧୫ ପରେ ଏହା ଷ୍ଟାର୍କଙ୍କ ପ୍ରଥମ ଆଇପିଏଲ୍‌। ସେତେବେଳେ ସେ ଆର୍‌ସିବି ପକ୍ଷରୁ ଖେଳିଥିଲେ। ଏବେ ସେ କେକେଆର୍‌ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ତେବେ ଲିଗ୍‌ରେ ଖେଳିବା ସହ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ସେ ନିଜର ପ୍ରସ୍ତୁତି ଜୋରଦାର୍‌ କରିବେ ବୋଲି ମଧ୍ୟ କହିଛନ୍ତି।

Share