Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷୀୟ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ ଖେଳି ୫୦.୬୮ ହାରରେ ୭୮୦୫ ରନ କରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି। ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳା ଯାଇଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ଭାରତର ନେତୃତ୍ୱ ନେଇଥିଲେ।

ମିତାଲି ଟୁଇଟ କରି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଦୀର୍ଘ ବର୍ଷ ଧରି ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି। ପ୍ରଥମେ ଖେଳାଳି ଓ ପରେ ଭାରତୀୟ ମହିଳା ଟିମ ଅଧିନାୟକ ଭାବେ ମୋତେ ବହୁତ ସମର୍ଥନ ମିଳିଛି। ଭାରତର ନେତୃତ୍ୱ ଦୀର୍ଘ ବର୍ଷ ଧରି ନେବା ଗର୍ବର ବିଷୟ। ମୋ ୨୩ ବର୍ଷର ଯାତ୍ରା ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି କହିଛନ୍ତି। ଏହାଛଡ଼ା ସେ ସ୍ବତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି।

୧୯୯୯ ଜୁନରେ ମିତାଲି ୧୬ ବର୍ଷ ବୟସରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ ଅଧିନାୟକ ହୋଇଥିବା ମିତାଲି ଅନେକ ରେକର୍ଡର ଅଧିକାରୀ। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଇଂଲଣ୍ଡଠାରୁ ଦଳ ହାରି ଯାଇଥିଲା। ୨୦୦୫ ମସିହା ଦିନିକିଆ ମହିଳା ବିଶ୍ୱକପ ଫାଇନାଲରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଏହି ସମୟରେ ମଧ୍ୟ ମିତାଲି ଦଳର ଅଧିନାୟକ ଥିଲେ।

 

Share