Categories: ଜାତୀୟ

ଅଧାରାତିରେ ଥରିଲା ମିଜୋରାମ

ଆଇଜଲ, ୨୫।୬: ମିଜୋରାମରେ ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ଅନୁଭୁତ ହୋଇଛି। ରାତ୍ର ୧ଟା ୧୪ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଚମଫାଇର ଦକ୍ଷିଣ ଅଞ୍ଚଳର ୨୧ କିଲୋମିଟର ଦୂରରେ ଭୂଗର୍ଭ ତଳେ ଥିବା ଅନୁମାନ କରାଯାଉଛି। ଅଧାରାତିରେ ଘରେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଭୂକମ୍ପ ଯୋଗୁ କେତେକ କୋଠାରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜୁନ୍‌ ୧୮ରେ ମିଜୋରାମରେ ୫.୦ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ଜୁନ ୨୧ ଅପରାହ୍ନ ୪ଟା ୧୬ରେ ମଧ୍ୟ ଆସାମ, ମେଘାଳୟ, ମଣିପୁର, ମିଜୋରାମରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା। ସେହିପରି ଜୁନ୍‌ ୨୨ରେ ମଧ୍ୟ ୫.୩ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା। ଜୁନ୍‌ ୨୩ରେ ଏଠାରେ ୪.୧ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା।

Share