ବ୍ରହ୍ମପୁର,୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): କ୍ୟାନସର୍ ପୀଡ଼ିତଙ୍କୁ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଏମ୍କେସିଜି ମେଡିକାଲ ପରିସରରେ ଏକ କ୍ୟାନସର୍ କେୟାର୍ ୟୁନିଟ୍ ତିଆରି କରାଯାଉଛି। ପ୍ରାୟ ୭୬ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସାସେବା ଉପଲବ୍ଧ ହେବ। ବର୍ତ୍ତମାନ ହସ୍ପିଟାଲ୍ କୋଠା ନିର୍ମାଣ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ବିଶାଖାପାଟଣା ସ୍ଥିତ ହୋମି ଭାବା କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ ସେଣ୍ଟର୍(ଏଚବିସିଏଚ୍ଆରସି)ର ନିର୍ଦ୍ଦେଶକ ଡା. ଉମେଶ ମହନ୍ତସେଟ୍ଟୀ।
ରବିବାର ଡା. ଉମେଶ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ଦେଖି ନିର୍ଦ୍ଦେଶକ ବିରକ୍ତ ପ୍ରକାଶ କରିଥିଲେ। ଠିକ୍ ସମୟରେ କାମ ସମାପ୍ତ କରିବାକୁ ସେ ଠିକା ସଂସ୍ଥାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଅନୁସାରେ କୁଶଳୀ କାରିଗରଙ୍କୁ ନିୟୋଜିତ କରି ଠିକ୍ ସମୟରେ କାମ ସମାପ୍ତ କରିବାକୁ ସେ କହିଥିଲେ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟାଟା ମେମୋରିଆଲ୍ ସେଣ୍ଟରର ୟୁନିଟ୍ ଏଚବିସିଏଚ୍ଆରସିର ନିର୍ଦ୍ଦେଶକଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ତିଆରି ହେଉଥିବା କ୍ୟାନସର୍ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବାକୁ ଅନୁରୋଧ କରାଯାଇଥିଲା। ଏଣୁ ଏଚ୍ବିସିଏଚ୍ଆରସିର ନିର୍ଦ୍ଦେଶକ ଡା.ଉମେଶ ଏମ୍କେସିଜିରେ କ୍ୟାନସର୍ କେୟାର୍ ୟୁନିଟର ସ୍ଥିତି ସମୀକ୍ଷା କରିଛନ୍ତି।