ଏମକେସିଜିକୁ ମିଳିଲାଣି ୨୯ ଶରୀର

ବ୍ରହ୍ମପୁର, ୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମଙ୍ଗଳବାର ବିଶ୍ୱ ଅଙ୍ଗଦାନ ଦିବସ। ମୃତ ଶରୀର ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା। ଏବେ ବି ତାହା ଲାଗି ରହିଥିବାବେଳେ ଏହାର ସରଳୀକରଣ କରାଯାଇଛି। ଓଡ଼ିଶା ଆନାଟୋମି ବିଲ-୨୦୧୨ ପ୍ରଣୟନ ପରେ ଶରୀର ଦାନ ବୃଦ୍ଧି ପାଉଛି। ଏହି ବିଲ ଡାକ୍ତରୀ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ। ଏହା ଶରୀର ଓ ଅଙ୍ଗଦାନକୁ ଏକ ନୂଆ ଦୀଶା ଦେଖାଇଛି। ଏବେ ବହୁ ଲୋକ ସ୍ବଇଚ୍ଛାରେ ଶରୀର ଦାନ କରିବାକୁ ଆଗେଇ ଆସୁଛନ୍ତି। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଇତି ମଧ୍ୟରେ ୨୯ ଜଣଙ୍କ ମରଶରୀର ଦାନସୂତ୍ରରେ ମିଳିିଥିବା ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଡା. ସାଗର ପୃଷ୍ଟି କହିଛନ୍ତି। ଏଥି ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଛି। ଯାହାକି ଡାକ୍ତରୀ ପିଲାଙ୍କ ପାଠପଢ଼ା ଓ ଗବେଷଣାରେ ବେଶ ସହଯୋଗ କରୁଛି ବୋଲି ପ୍ରଫେସର ପୃଷ୍ଟି କହିଛନ୍ତି।

ଶରୀର ଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ନିଜର ଶରୀର ଦାନ କରିବାକୁ ଆଗେଇ ଆସୁଛନ୍ତି। ପୂର୍ବରୁ ଥିବା ଓ ଆନାଟୋମି ଆକ୍ଟ-୧୯୭୫କୁ ସଂଶୋଧନ କରାଯାଇ ଓ ଆନାଟୋମି ବିଲ-୨୦୧୨ ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା। ସଂଶୋଧିତ ଆଇନରେ ଶରୀର ଓ ଅଙ୍ଗଦାନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିଲା। ଯଦ୍ବାରା ଯେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଅତି ସହଜରେ ମରଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେଇ ପାରିବେ। କିନ୍ତୁ ପୂର୍ବରୁ ଅଙ୍ଗଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବହୁ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଥିଲା। ଏବେ ଏହା ସରଳୀକରଣ ପରେ ୨୦୧୫ରୁ ୨୦୨୪ ଅଗଷ୍ଟ ୮ତାରିଖ ସୁଦ୍ଧା ୧୦୧ ଜଣ ବ୍ୟକ୍ତି ନିଜର ଶରୀରଦାନ ପାଇଁ ଏମକେସିଜି ମେଡିକାଲ କଲେଜରେ ଘୋଷଣାନାମା ଦାଖଲ କରିଥିବା ସୂଚନା ମିଳିଛି। ଲୋକଙ୍କ ମଧ୍ୟରେ ଶରୀରଦାନ ପାଇଁ ସଚେତନତା ବୃଦ୍ଧି ପାଉଛି। ଏଥିପାଇଁ ସେମାନେ ନିର୍ଦ୍ଧାରିତ ଫର୍ମ ଜରିଆରେ ଆବେଦନ କରି ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗ ମୁଖ୍ୟଙ୍କୁ ଘୋଷଣାନାମା ପ୍ରଦାନ କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀର ମେଡିକାଲ କଲେଜକୁ ଦାନ କରିବେ ବୋଲି ସେଥିରେ ଉଲ୍ଲେଖ ରହୁଛି। ଗତ ୨୦୧୩ରୁ ଏମକେସିଜି ମେଡିକାଲ କଲେଜକୁ ଦାନସୂତ୍ରରୁ ମରଶରୀର ମିଳିଛି। ୨୦୧୩ରେ ଜଣେ ପୁରୁଷ, ୨୦୧୭ରେ ଜଣେ ପୁରୁଷ, ୨୦୧୮ରେ ଜଣେ ପୁରୁଷ ଓ ଜଣେ ମହିଳା, ୨୦୧୯ରେ ଦୁଇ ପୁରୁଷ, ୨୦୨୦ରେ ଜଣେ ପୁରୁଷ, ୨୦୨୧ରେ ଜଣେ ପୁରୁଷ ଓ ଜଣେ ମହିଳା, ୨୦୨୨ରେ ୫ ପୁରୁଷ ଓ ୨ ମହିଳା, ୨୦୨୩ରେ ୧୦ ପୁରୁଷ, ୩ ମହିଳା ଏଭଳି ୧୨ ବର୍ଷ ଭିତରେ ୨୨ ପୁରୁଷଙ୍କ ଶରୀର ମିଳିଥିବାବେଳେ ୭ ମହିଳାଙ୍କ ଶରୀର ମିଳିଥିବା ଆନାଟୋମି ବିଭାଗ ପ୍ରଫେସର ପୃଷ୍ଟି ସୂଚନା ଦେଇଛନ୍ତି।