Categories: ଜାତୀୟ

ବିଧାୟକ ଅବ୍ବାସ ଅନସାରୀଙ୍କୁ ବଡ ଆଶ୍ୱସ୍ତି, ଏହି ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୮।୧୦: ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ବିଧାୟକ ଅବ୍ବାସ ଅନସାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଅବ୍ବାସ ଅନସାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ମୁଖତାର୍‌ ଅନସାରୀଙ୍କ ପୁଅ। ଜଷ୍ଟିସ ଏମ ଏମ ସୁନ୍ଦରେଶ ଏବଂ ଜଷ୍ଟିସ ପଙ୍କଜ ମିଥାଲଙ୍କ ବେଞ୍ଚ ଏହି ନିଷ୍ପତ୍ତି ନେଇଛି।

ଆହ୍ଲାବାଦ ହାଇକୋର୍ଟ ୯ ମେ’ରେ ଅବ୍ବାସ ଅନସାରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଏହି ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଅଗଷ୍ଟ ୧୪ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ନୋଟିସ ଜାରି କରିଥିଲେ।
ନଭେମ୍ବର ୪, ୨୦୨୨ରେ, ଇଡି ଅର୍ଥ ହେରଫେର ମାମଲାରେ ସୁହେଲଦେବ ଭାରତ ସମାଜ ଦଳର ବିଧାୟକ ଅବ୍ବାସ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସେ ବର୍ତ୍ତମାନ କସଗଞ୍ଜ ଜେଲରେ ଅଛନ୍ତି। ଇଡି ଅଭିଯୋଗ କରିଛି ଯେ ଅବ୍ବାସ ଅନସାରୀ ଦୁଇଟି ସଂସ୍ଥା ମେସର୍ସ ବିକାଶ କନଷ୍ଟ୍ରକଶନ ଏବଂ ମେସର୍ସ ଆଗାଜକୁ ଟଙ୍କା ହେରଫେର ପାଇଁ ବ୍ୟବହାର କରିଛନ୍ତି।

Share