ଜମ୍ବୁ-ବାବର ମୁଖ୍ୟ ରାସ୍ତାରେ ଉପୁଡ଼ିଲା ଗଛ, କାଟି ସଫା କଲେ ବିଧାୟକ

ମହାକାଳପଡ଼ା, ୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗୁରୁବାର ରାତିରେ ବାତ୍ୟା ଦାନା ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା। ଏଥିପାଇଁ ରାତିରେ ଲୋକେ ନ ଶୋଇ ଚେଇଁ ରହିଥିଲେ। ମହାକାଳପଡ଼ା ବ୍ଲକ ଅଞ୍ଚଳ ବାତ୍ୟା ଆଶ୍ରୟସ୍ଥଳରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁ ରିଲିଫ୍‌ କ୍ୟାମ୍ପରେ ପାନୀୟ ଜଳ ନାହିଁ, ଶୌଚାଳୟ ଠିକ୍‌ ନ ଥିବାରୁ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅପରପକ୍ଷରେ ଜମ୍ବୁ-ବାବର ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ିଯିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ସ୍ଥାନୀୟ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଘଟଣାସ୍ଥଳରେ ପହଞ୍ଚି ଗଛଗୁଡ଼ିକ କାଟି ରାସ୍ତା ସଫା କରିଥିଲେ। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ୧୨୦ଟି ରିଲିଫ୍‌ କ୍ୟାମ୍ପ କରାଯାଇ ମଧ୍ୟାହ୍ନ ସୁଦ୍ଧା ୧୧ହଜାର ଲୋକଙ୍କୁ ଥଇଥାନ କରାଯାଇ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

Share