
ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ ମାକୁ ମାଉସୀହାତରେ ଟେକିଦେବୁ ନାହିଁ କି ତାଙ୍କ ଗୋଡ଼ତଳେ ପଡି ଶରଣ ପଶିବୁ ନାହିଁ। ଆମର ଅସ୍ମିତାକୁ ଦୁର୍ବଳ ଭାବିଲେ ଆମେ କଡା ଆଭିମୁଖ୍ୟ ଗ୍ରହଣ କରିବୁ। ଏଭଳି କଡା ମନ୍ତବ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଦେଇଛନ୍ତି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ । ଓଡ଼ିଶାର କୋଟିଆକୁ ନେଇଁ ଆନ୍ଧ୍ର ସହିତ ଛକାପଞ୍ଝା ଲାଗିଥିବାବେଳେ ଏବେ ଓଡ଼ଶା ସହିତ ପଶ୍ଚିମବଙ୍ଗର ସୀମାକୁ ନେଇଁ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଛ। ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଜଳେଶ୍ୱର ଓ ଭୋଗରାଇ ବ୍ଲକର ୮୦ ଟି ଗ୍ରାମରେ ସୀମାବିବାଦ ଅଦ୍ୟାବଧି ତୁଟି ନ ଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ କୌଶଳଗତ ଭାବେ ବିଭିନ୍ନ ସ୍ଥାନରେ ଘନଘନ ଓଡିଶା ଗ୍ରାମ ଦଖଲକୁ ଓଡ଼ିଶାର ସୀମାନ୍ତବାସୀ ପ୍ରତିହତ କରିଛନ୍ତି।
ଗତ ମାସ ୨୩ ତାରିଖରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୀମାନ୍ତ ଶାଗଡ଼ସାହି ଗ୍ରାମର ୪୦ମି. ଗ୍ରାମ୍ୟ କଂକ୍ରିଟରାସ୍ତାକୁ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା ମହନପୁର ବ୍ଲକର ରାଜସ୍ବ ଓ ପ୍ରଶାସନ ବିଭାଗ ତାଡି ଅନ୍ୟ ଏକ ରାସ୍ତା ନିର୍ମାଣ କରୁଥିବାବେଳେ ଗ୍ରାମବାସୀ ଓ ବିଧାୟକ ମିଳିତ ଭାବେ ଉକ୍ତ ରାସ୍ତାକୁ ବନ୍ଦକରିଥିଲେ। ଖୁବଶୀଘ୍ର ଓଡିଶା ସରକାରଙ୍କ ପକ୍ଷରୁ ଉକ୍ତ ରାସ୍ତାକାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ବିଧାୟକ ଦେବା ପରେ ପୁଣି ପଶ୍ଚିମବଙ୍ଗ ସରକାରର ପିଡବ୍ଲ୍ୟୁଡି ବିଭାଗ ଓଡିଶା ଗ୍ରାମ ଶଗଡାସାହି ଭିତରେ ସୋମବାର ଧସେଇ ପଶି ଜେସିବି ମେସିନ ଲଗାଇ ରାସ୍ତା ନିର୍ମାଣ କରୁଥିବା ସୂଚନା ମିଳିବା ପରେ ଭୋଗରାଇ ବିଧାୟକ ସହିତ, ତହସିଦାର ସୂର୍ଯ୍ୟ କୁମାର ନାୟକ, ପଞ୍ଚାୟତ ସମିତି ଅଧକ୍ଷ ପ୍ରବୀର କୁମାର ଗିରି, କମର୍ଦ୍ଦା ଥାନା ଅଧିକାରିଣୀ ଘଟଣା ସ୍ଥାନରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଳିତ ହୋଇ ପଶ୍ଚିମବଙ୍ଗ କାର୍ଯ୍ୟକୁ ବନ୍ଦ କରିଥିଲେ । ୩ ଦିନ ମଧ୍ୟରେ ଉକ୍ତ ଗ୍ରାମରେ କଂକ୍ରିଟ ରାସ୍ତା କରାଯିବାର ଗ୍ରାମବାସୀଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଥିବାବେଳେ ସୀମାନ୍ତ ଗ୍ରାମର ୨୦ ଜଣିଆ କମିଟି ଗଠନ କରାଯାଇ ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବାକୁ ସୀମାନ୍ତବାସୀଙ୍କୁ ବିଧାୟକ ଆହ୍ବାାନ ଦେଇଥିଲେ।