ସାଇବର ଠକେଇର ସ୍ବୀକାର କଲେ ବିଧାୟକ ବାହିନୀପତି

କୋରାପୁଟ,୧୦ା୧୦(ଅମିତାଭ ବେହେରା):କୋରାପୁଟ ଜିଲା ଜୟପୁରରେ ଆୟୋଜିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମରେ ରବିବାର ଯୋଗଦେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ୪ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ନିଜ ଭାଇଙ୍କ ପାଇଁ ସିମେଣ୍ଟ ଡିଲରଶିପ୍‌ ଆଣିବା ଲାଗି ସେ ଗୁଗଲରେ ଏକ ବିଜ୍ଞାପନ ଦେଖି ସେଥିରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ। ଯୋଗାଯୋଗ ନମ୍ବର ଦେଇଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ଏଥିପାଇଁ ୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ବାହିନୀପତି ସମ୍ମତି ଦେବାରୁ ସେ ତାଙ୍କ ଫୋନକୁ ଏକ ଓଟିପି ପଠାଇଥିଲେ। ଓଟିପି ନମ୍ବର ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା କାଟି ନେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଏନେଇ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ଏ ସମ୍ପର୍କରେ ସେ କୋରାପୁଟ ଏସ୍‌ପିଙ୍କୁ ଜଣାଇବା ପରେ ତାଙ୍କ ପରାମର୍ଶରେ ସାଇବର ଥାନାରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁନ ମାସରେ ଏହି ଘଟଣା ଘଟିଥିଲା। ସେ ସମୟରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ବିହାରର ନୋଇଡା ଜିଲା, ୱାର୍ସଲଗଞ୍ଜ ଥାନା ଚକପାଇ ଗ୍ରାମର ବୋଲି ଜଣାପଡିଥିଲା। ପରେ ଏନେଇ ଗଠିତ ୪ଜଣିଆ ଟିମ୍‌ ବିହାର ଗସ୍ତ କରି ଅଭିଯୁକ୍ତ ଭୋଳା ପ୍ରସାଦ (୪୬), ଗୌରବ କୁମାର (୨୩) ଏବଂ ବିକାଶ କୁମାର (୨୩)ଙ୍କୁ ଗିରଫ କରି କୋରାପୁଟ ଆଣିଥିଲା। ସେତେବେଳେ ସେମାନଙ୍କଠାରୁ ନଗଦ ୧ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍‌ ଓ ୧୪ଟି ମୋବାଇଲ ଫୋନ ଜବତ ହୋଇଥିଲା।