କଟକ ଅଫିସ,୨୪।୨: କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ ଜାମିନଦାରଙ୍କ ବଦଳରେ ବୁଧବାର ତାଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଏଥିସହ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲରେ ରହିବେ ବୋଲି ସୂଚନା ମିଳିଛି। ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାରେ ଜାମିନ ମିଳି ନ ଥିବାରୁ ସେ ଏବେ ଝାରପଡ଼ା ଜେଲରେ ରହିବେ।
ପ୍ରକାଶ ଯେ, ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ପାଇଁ ଭିଜିଲାନ୍ସ ଡିଏସ୍ପି ରଞ୍ଜନ ଦାସ ଲୋକାୟୁକ୍ତଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ଗ୍ରହଣ କରି ଗତ ଡିସେମ୍ବର ୧୧ ତାରିଖରେ ଲୋକାୟୁକ୍ତ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସକୁ କହିଥିଲେ। ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।