କଟକ,୧ା୨(କାର୍ତ୍ତିକ ସାହୁ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ହାଇକୋର୍ଟ ପୁଣି ଫେବୃଆରୀ ୧୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣିକୁ ଆସନ୍ତା ଫେବୃଆରୀ ୧ ତାରିଖ ଯାଏ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ବିଚାରପତି ବି. ପି.ରାଉତରାୟଙ୍କ ଅଦାଲତ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ନିମନ୍ତେ ଫେବୃଆରୀ ୧୩ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମଏଫ୍ସି ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ଅଦାଲତ ଏହି ପିଟିସନର ଶୁଣାଣି କରି ଅଧିକ ତଦନ୍ତ ଓ ଫୋନ୍ ବାର୍ତ୍ତାଳାପର ରେକର୍ଡ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ପୁଣି ତଦନ୍ତ କରିଥିଲା। କିନ୍ତୁ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନ ଥିବା ନେଇ ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିଥିଲା। ଏହା ବିରୋଧରେ ପୁଣି ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାୟର କରାଯାଇଥିଲା। ଅଦାଲତ ଏହି ଆବେଦନର ଶୁଣାଣି କରି ବିଧାୟକ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ବିଧାୟକ ଜେନାଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କ୍ରିମିନାଲ ରିଭିଜନ୍ ପିଟିସନ୍ ଗତ ଅକ୍ଟୋବର ୩୧ ତାରିଖରେ ହାଇକୋର୍ଟରେ ଦାୟର କରିଛନ୍ତି। ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ ଜାରି କରିଥିଲେ। ନିମ୍ନ ଅଦାଲତରୁ ରେକର୍ଡ ତଲବ କରିବା ସହ ଡିସେମ୍ବର ୧୯ ପର୍ଯ୍ୟନ୍ତ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।