କଟକ,୧୭ା୧(କାର୍ତ୍ତିକ ସାହୁ): ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ପୁଣି ଆଶ୍ୱସ୍ତି ମିଳିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣିକୁ ଆସନ୍ତା ଫେବୃଆରୀ ୧ ପର୍ଯ୍ୟନ୍ତ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ବିଚାରପତି ବି.ପି.ରାଉତରାୟଙ୍କ ଅଦାଲତ ମାମଲା ଶୁଣାଣି କରି ବୁଧବାର ଦେଇଥିବା ଏହି ନିର୍ଦ୍ଦେଶ ଫଳରେ ବିଧାୟକ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧିପାଇଛି। ଉଭୟ ପକ୍ଷଙ୍କ ସହମତିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ନିମନ୍ତେ ଫେବୃଆରୀ ୧କୁ ଧାର୍ଯ୍ୟ କରିଛନ୍ତି।
ସୂଚନାନୁସାରେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ବିଧାୟକ ଜେନାଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କ୍ରିମିନାଲ ରିଭିଜନ୍ ପିଟିଶନ୍ ଗତ ଅକ୍ଟୋବର ୩୧ରେ ହାଇକୋର୍ଟରେ ଦାୟର କରିଥିଲେ। ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ ଜାରି କରିଥିଲେ। ନିମ୍ନ ଅଦାଲତରୁ ରେକର୍ଡ ତଲବ କରିବା ସହ ଡିସେମ୍ବର ୧୯ ପର୍ଯ୍ୟନ୍ତ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଜାନୁଆରୀ ୨ରେ ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମ୍ଏଫ୍ସି ଅଦାଲତରେ ପ୍ରୋଟେଷ୍ଟ ପିଟିଶନ ଦାଖଲ କରିଥିଲେ। ଅଦାଲତ ଏହି ପିଟିଶନର ଶୁଣାଣି କରି ଅଧିକ ତଦନ୍ତ ଓ ଫୋନ୍ ବାର୍ତ୍ତାଳାପର ରେକର୍ଡ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ପୁଣି ତଦନ୍ତ କରିଥିଲା। କିନ୍ତୁ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନ ଥିବା ନେଇ ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିଥିଲା। ଏହା ବିରୋଧରେ ପୁଣି ଅଦାଲତରେ ପ୍ରୋଟେଷ୍ଟ ପିଟିଶନ ଦାୟର କରାଯାଇଥିଲା।