Advertisement

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର କରିବା ଘଟଣାକୁ ନିନ୍ଦା କରିଛନ୍ତି ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସ। ଏ ନେଇ ରବିବାର ଅପରାହ୍ନରେ ସେ ଭବାନୀପାଟଣାଠାରେ ଏକ ଖବରଦାତା ସମ୍ମିଳନୀ କରି ଭାଜପା ଉପରେ ବର୍ଷିଛନ୍ତି। ଅମିତ ଶାହା ବାବା ସାହେବଙ୍କୁ ଅପମାନ କରିବା ଅର୍ଥ ସମସ୍ତ ଦଳିତ ଆଦିବାସୀ ଶ୍ରେଣୀର ଲୋକ ଓ ସମ୍ବିଧାନକୁ ଅପମାନ କରିବା। ନିର୍ବାଚନ ସମୟରେ ଭାଜପା ସମ୍ବିଧାନର କଥା କୁହେ ଓ ନିର୍ବାଚନ ସରି ଶାସନକୁ ଆସିଲେ ଏପରି ବାବା ସାହେବଙ୍କୁ ଅପମାନ କରିଥାଏ। ଏହାକୁ ବରଦାସ୍ତ କରାଯିବ ନାହିଁ ଓ ଏଥିପାଇଁ ଜୋରଦାର ଆନ୍ଦୋଳନ ମଧ୍ୟ କରାଯିବ। ସଂସଦରେ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ନାମରେ ସାଂସଦ ପ୍ରତାପ ଷଡ଼ଙ୍ଗୀକୁ ଧକ୍କା ଦେବା ଭଳି ଭାଜପା ମିଥ୍ୟା ଅଭିଯୋଗ ଆଣିଛି। ଯଦି ସତ୍‌ସାହସ ଅଛି ତା’ହେଲେ ସିସିଟିଭି ଫୁଟେଜ ସାମ୍ନାକୁ ଆଣନ୍ତୁ। ନିର୍ବାଚନ ସମୟରେ ଓଡ଼ିଶାରେ ଭାଜପା ସରକାର ଶାସନକୁ ଆସିଲେ ଧାନ କଟ୍‌ନି ବନ୍ଦ ହେବ ବୋଲି କହିଥିଲେ। ଏବେ ଶାସନକୁ ଆସିବା ପରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୫ରୁ ୭ କିଗ୍ରା ଧାନ କଟ୍‌ନି କରାଯାଉଛି। ଭାଜପା ନେତାଙ୍କ ଇସାରାରେ ମିଲର୍ସମାନେ ମନଇଚ୍ଛା ଧାନ କଟ୍‌ନି କରୁଛନ୍ତି। ଭାଜପାର ଡବଲ ଇଞ୍ଜିନ ସରକାର ରାଜ୍ୟ ଓ କେନ୍ଦ୍ରରେ ବିଫଳ ହୋଇଛି ବୋଲି ସାଗର କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ଧନୁର୍ଦ୍ଧର ଗହୀର ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share