
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାୟ ସରକାରଙ୍କ ପ୍ରଦତ୍ତ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରିଥିବା ଜଣାପଡିଛି । ବିଧାୟକ ପ୍ରଥମେ ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତର ସାନବୁରୁଡା ଗ୍ରାମରେ ପହଞ୍ଚି ଆଦର୍ଶ ପାଠାଗାର ଓ ଗ୍ରାମ୍ୟ କୋଠଘରର ଶୁଭ ଉଦଘାଟନ କରିଥିଲେ। ଏହାପରେ ବଡବୁରୁଡା ଗ୍ରାମର ବହୁମୁଖୀ ଉପଯୋଗୀ ଗୋଷ୍ଠୀ କେନ୍ଦ୍ର, ଗ୍ରାମ୍ୟ କୋଠଘର ଉଦଘାଟନ କରିଥିଲେ।
ଏଥିସହ ଗ୍ରାମରେ ନବ ନିର୍ମିତ ଠାକୁରାଣୀ ମନ୍ଦିର ପରିଦର୍ଶନ କରିବା ସହ ଓ ୧୦୮ କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିପରି ବମକୋଇ ଗ୍ରାମର ଲକ୍ଷ୍ମୀନାରାୟଣ ସାହିରେ ଆୟୋଜିତ ଶ୍ରୀ ରାମନବମୀ ଯାତ୍ରାରେ ଯୋଗଦାନ କରିଥିଲେ। ଶେଷରେ ଦିଗପହଣ୍ଡି ସହରରେ ପହଞ୍ଚି ଶ୍ରୀ ରାମନବମୀ ମହୋତ୍ସବ ସମିତିରବିଶାଳ ଶୋଭାଯାତ୍ରାରେ ଯୋଗଦେଇ ଫେରିଥିଲେ। ସିଦ୍ଧାନ୍ତଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ବିଧାୟକଙ୍କ ସହ ବାସୁଦେବପୁର ପଞ୍ଚାୟତ ସରପଞ୍ଚ ଏମ. ଶ୍ୟାମଘନ, ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ , କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ବି. ତୁରୁବୁଡି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା, ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା, ଏମ. ନରସିଂହ, କେ . ସାହେବ, କେ . ଭୀମଙ୍କ ସମେତ ଭାଜପା କର୍ମକର୍ତ୍ତା ବାପି ପ୍ରଧାନ, କିଶୋର ସାହୁ , ନରସିଂହ ପାତ୍ର ଏବଂ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।