ବିଜେଡିରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ା ବହିଷ୍କୃତ

ଭୁବନେଶ୍ୱର,୨୧ା୯(ଅନିଲ ଦାସ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ଦୁଇ ବିଧାୟକଙ୍କୁ ଦଳର ସୁପ୍ରିମୋ ଆଜି ଅପରାହ୍ନରେ ବହିଷ୍କୃତ କରିଛନ୍ତି।

DocScanner 21-Sept-2023 1-12 pm

ବିଜେଡି ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରାଯାଇ ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ସମ୍ବାଦ’ ଲୋନ୍‌ ସ୍କାମ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ‘ଲୋନ୍‌ ସ୍କାମ ନେଇ ଇଓଡବ୍ଲ୍ୟୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି। ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଣ କରାଯାଇଛି। ଜାଲ୍‌ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଫ୍ରଡ୍‌ ବୋଲି ଏଥିରେ ଉଲ୍ଲେଖ ରହିଛି।

ସେହିପରି ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯିବା ନେଇ ବିଜେଡି କାରଣ ଦର୍ଶାଇଛି। ସବ୍‌ସିଡି ସ୍କାମ୍‌ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି। ସୁଧାଂଶୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍‌ସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ସୁଧାଂଶୁଙ୍କ ପରିଚାଳନାଧୀନ କମ୍ପାନୀ ୩ କୋଟି ଟଙ୍କା ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଗତ କିଛି ଦିନ ହେଲା ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଥିଲେ।

Share