ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ୭୬ତମ ସ୍ବାଧୀନତା ଦିବସ ସୋମବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ। ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସରେ ସ୍ବାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗର ୧୧ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଟଣା ବ୍ଲକ ଓ ସେଣ୍ଟ ଜାଭିୟର ସ୍କୁଲରେ ବିଧାୟକ ନାଏକ ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ପାଟଣା ଥାନାରେ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏପରିକି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରାଯାଇଛି। କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ବିଧାୟକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଅନ୍ୟପଟେ ପାଟଣା ବ୍ଲକ ପ୍ରେସ କ୍ଳବ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ମୁଖ୍ୟାଳୟରେ ପାଳିତ ହୋଇଛି। କ୍ଳବର ସଭାପତି ମହେଶ୍ୱର ପୃଷ୍ଟି ଜାତୀୟ ପତାକା ଉତ୍ତୋଳନ କରିଥିଲେ।

 

Share