କେନ୍ଦୁଝର,୩୦।୧(ସ୍ବ.ପ୍ର.): ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ମଣ୍ଡୁଆସ୍ଥିତ ବାସଭବନରେ ପଶି ଭାଜପାର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା ଭଙ୍ଗାରୁଜା କରିଛନ୍ତି। ଏଥିସହ ମାନସ ରଞ୍ଜନ ସାହା ନାମକ ଯୁବକଙ୍କୁ ଆକ୍ରମଣ କରିବା ନେଇ ଟାଉନ ଥାନରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କେସ ନଂ ୪୦/୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘଟଣାରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟା ୫ଟା ୪୫ରେ ଏକ ସ୍କୋର୍ପିଓ ଗାଡିରେ ମୁନା ମହାରଣା,ଆଶିଷ ଦାସ ଅଧିକାରୀଙ୍କ ସମେତ ୫ଜଣ ମଣ୍ଡୁଆ ସ୍ଥିତ ବାସଭବନକୁ ଯାଇଥିଲେ। ସେଠାରେ ବିଧାୟକ ମୋହନ ଚରଣ ମାଝୀଙ୍କୁ ନ ପାଇ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏ ନେଇ ପ୍ରତିବାଦ କରିବାରୁ ମାନସ ରଞ୍ଜନ ସାହାଙ୍କୁ ପିଟାପିଟି କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ଆଧାର କରି ଧରିବାକୁ ଉଦ୍ୟମ କରୁଛି। ଏଠାରେ ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ, ମୁନା ମହାରଣାଙ୍କୁ ଜଣେ ମହିଳାଙ୍କ ଅଭିଯୋଗକ୍ରମେ ଭାଜପା ଦଳ ପକ୍ଷରୁ ତାଙ୍କ ଦଳୀୟ ପଦରୁ ବହିଷ୍କାର କରାଯାଇଥିଲା।