Categories: ଜାତୀୟ

ତେଲଙ୍ଗାନାରୁ ପାଟନାରୁ ଫେରି ତେଜସ୍ବୀଙ୍କ ଘରେ ୧୯ କଂଗ୍ରେସ ବିଧାୟକ

ପାଟନା,୧୧।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ ଯାଇଛନ୍ତି। ସେମାନେ ତେଜସ୍ବୀଙ୍କ ଘରେ ସୋମବାର ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା ହୋଇଛି। ସେଠାରେ ବିଧାୟକମାନେ ନିଆଁପୋଇଁବା ସହ ସଙ୍ଗୀତ କାର୍ଯ୍ୟକ୍ରମର ମଜା ନେଉଥିବା ଦେଖାଯାଇଛି।

ସେମାନଙ୍କ ସହ ଆର୍‌ଜେଡି ଏବଂ ବାମଦଳ ବିଧାୟକମାନେ ମଧ୍ୟ ତେଜସ୍ବୀଙ୍କ ୫, ଦେଶରତ୍ନ ମାର୍ଗ ସରକାରୀ ବଙ୍ଗଳାରେ ରହିବେ। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ ମହାମେଣ୍ଟରୁ ଓହରି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରି ନୂଆ ସରକାର ଗଢ଼ିବା ପରେ ଆସ୍ଥାଭୋଟ ଆବଶ୍ୟକ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏର ୧୨୮ ବିଧାୟକ ରହିଥିବାରୁ ସେମାନେ ସୁବିଧାରେ ଆସ୍ଥାଭୋଟ ଜିତିଯିବେ। ତେବେ ଟ୍ରଷ୍ଟ ଭୋଟ ପୂର୍ବରୁ ବିଭାଜନ ଆଶଙ୍କାରେ କଂଗ୍ରେସର ୧୯ ବିଧାୟକ ତେଲଙ୍ଗାନାରେ ରହିଥିଲେ।

Share