Categories: ଜାତୀୟ

ବଢ଼ିଲା ବିଧାୟକଙ୍କ ଦରମା

କୋଲକାତା,୭ା୯: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ମାସକୁ ୪୦ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଏହା ବ୍ୟତୀତ ମମତା କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀଙ୍କ ଦରମା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ରାଜ୍ୟ ମନ୍ତ୍ରୀଙ୍କ ମାସିକ ଦରମା ୧୦,୯୦୦ରୁ ବୃଦ୍ଧି ପାଇ ୫୦,୯୦୦ରେ ପହଞ୍ଚିଛି। ଏଥିସହିତ କ୍ୟାବିନେଟ୍‌ ମନ୍ତ୍ରୀଙ୍କ କ୍ଷେତ୍ରରେ ଏହି ପରିମାଣ ୧୧,୦୦୦ରୁ ୫୧,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ମାସିକ ଦରମା ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ପାଇବାକୁ ଥିବା ଅତିରିକ୍ତ ଭତ୍ତା ସମାନ ରହିବ।

ଜଣେ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି, ଏହାର ଅର୍ଥ ହେଉଛି ବିଧାୟକମାନେ ଗ୍ରହଣ କରିଥିବା ଦରମା ଏବଂ ଭତ୍ତା ସମେତ ବର୍ତ୍ତମାନ ମାସିକ ୮୧,୦୦୦ରୁ ୧.୨୧.ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ସେହିଭଳି ବର୍ତ୍ତମାନଠାରୁ ମନ୍ତ୍ରୀଙ୍କ ପ୍ରକୃତ ମାସିକ ଦରମା ୧.୧୦ ଲକ୍ଷରୁ ମାସକୁ ପ୍ରାୟ ୧.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

Share