Categories: ଜାତୀୟ

ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌

ଶିମଲା,୫।୯: ଦଳ ବଦଳ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ବିଲ୍‌ । ଏଣିକି ଦଳ ବଦଳାଇଲେ କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହେଲେ ବିଧାୟକଙ୍କୁ ମିଳିବନି ପେନସନ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବିଲ ବିଧାନସଭାରେ ପାରିତ ହୋଇଛି। ଏବେ କେବଳ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା ।

ହିମାଚଳ ପ୍ରଦେଶ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ଏଣିକି ରାଜ୍ୟରେ ଯଦି କୌଣସି ରାଜନେତା ତାଙ୍କ ଦଳ ଛାଡ଼ନ୍ତି କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ତାଙ୍କୁ ପେନସନ ମିଳିବ ନାହିଁ । ଏ ସଂକ୍ରାନ୍ତ ବିଲ୍‌କୁ ହିମାଚଳ ପ୍ରଦେଶ ବିଧାନସଭାରେ ଅନୁମୋଦନ ମିଳିଛି । ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂହ ସୁଖୁ ବିଧାନସଭାରେ ଏହି ବିଲ ଆଗତ କରିଛନ୍ତି । ଏବେ ବିଲକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବ । ଆଉ ରାଜ୍ୟପାଳ ମୋହର ଲଗାଇବା ପରେ ଏହା ଆଇନରେ ପରିଣତ ହେବ ।

ଗତ ଫେବ୍ରୁଆରିରେ ହିମାଚଳ ପ୍ରଦେଶ କଂଗ୍ରେସର ୬ ଜଣ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିଲେ । ବଜେଟ ଉପରେ ଲେଖାନୁଦାନ ପାରିତ ବେଳେ ଏହି ୬ ବିଧାୟକ ଅନୁପସ୍ଥିତ ରହିବାରୁ ବାଚସ୍ପତି ସେମନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେମାନଙ୍କ ମଧ୍ୟରୁ ୨ ଜଣ ଉପନିର୍ବାଚନ ଜିତି ବିଧାନସଭାକୁ ଫେରିଥିବା ବେଳେ ୪ ଜଣ ହାରିଛନ୍ତି । ରାଜ୍ୟ ସଭା ନିର୍ବାଚନ ବେଳେ ମଧ୍ୟ ଏହି ୬ କଂଗ୍ରେସ ବିଧାୟକ ଭାଜପା ପ୍ରାର୍ଥୀ ଇନ୍ଦର ଦତ୍ତା ଲଖନପାଲଙ୍କ ସପକ୍ଷରେ ଭୋଟ ଦେଇଥିଲେ ।

Share