ବିଶେଷଭାବରେ ଶିଶୁଟିଏ ଜନ୍ମ ନେବା ପରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ଏକ ଟିକାତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାକୁ ଅନୁସରଣ କରି ପିଲାମାନଙ୍କୁ ଜନ୍ମ ପରେ ପରେ ହିଁ ଟିକା ଦେବା ଆରମ୍ଭ କରିଦିଆଯାଇଥାଏ। ଭବିଷ୍ୟତରେ ସୁସ୍ଥ ରହିବା ଲାଗି ଏହା ବେଶ୍ ସହାୟକ ହୋଇଥାଏ। ତେଣୁ ଏ ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର। ଜନସାଧାରଣଙ୍କଠାରେ ଟିକାକରଣର ଉପାଦେୟତା ବିଷୟରେ ସଚେତନ କରାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖକୁ ‘ଜାତୀୟ ଟିକାକରଣ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିନ କେବଳ ସରକାରୀ ନୁହେଁ, ବେସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରକାର ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍ ରହିଛି ‘ପ୍ରତ୍ୟେକଙ୍କ ପାଇଁ ଟିକାଗୁଡ଼ିକ କାମ କରିଥାଏ’ ( ଭ୍ୟାକସିନ୍ସ ଓ୍ବାର୍କ ଫର ଏଭ୍ରିଓ୍ବାନ୍)। ଆମ ଦେଶକୁ ପୋଲିଓମୁକ୍ତ କରିବା ପାଇଁ ପ୍ରଥମେ ମାର୍ଚ୍ଚ ୧୫, ୧୯୯୫ରେ ଓରାଲ ପୋଲିଓ ବୁନ୍ଦା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଭାରତର ଏଭଳି ଉଦ୍ୟମକୁ ସେ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ) ପ୍ରଶଂସା କରିବା ସହ ତାହାକୁ ଆହୁରି ସୁଦୂରପ୍ରସାରୀ କରିବାକୁ ପରାମର୍ଶ ଦେଇଥିଲା। ପରବର୍ତ୍ତୀ ସମୟରେ ଏହି ଦିନକୁ ‘ଜାତୀୟ ଟିକାକରଣ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ବିଶେଷଭାବରେ ସଂକ୍ରାମକ ରୋଗର କାୟା ବିସ୍ତାରକୁ ରୋକିବା ପାଇଁ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିଶୁଟିଏ ଯଦି ଠିକ୍ ସମୟରେ ଟିକା ନିଏ ତେବେ ତାହା ତା’ ପାଇଁ ଭବିଷ୍ୟତରେ ରୋଗର ରକ୍ଷାକବଚ ଭାବରେ କାମ କରେ। ଇଂରେଜ ଚିକିତ୍ସକ ଡା. ଏଡଓ୍ବାର୍ଡ ଜେନେର ପ୍ରଥମେ ଟିକା ପ୍ରସ୍ତୁତ କରିଥିଲେ। ୧୭୯୭ରେ ସେ ଜଣେ ୧୩ ବର୍ଷ ବୟସ୍କ ପିଲାକୁ ବସନ୍ତ ଟିକା ଦେଇଥିଲେ। ଏବେ ବସନ୍ତ, ମିଳିମିଳା, ମ୍ୟାଲେରିଆ, ରୁବେଲା, ପୋଲିଓ ଆଦି ଟିକାର ବିକଶିତ ରୂପ ଉପଲବ୍ଧ। ଶିଶୁମାନଙ୍କୁ ଠିକ୍ ସମୟରେ ଟିକା ଦିଆଯିବା ଫଳରେ ସେମାନଙ୍କୁ ଅନେକ ପ୍ରକାର ରୋଗରୁ ରକ୍ଷା କରାଯାଇପାରୁଛି।