Advertisement

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ସମୟରେ ବସ୍‌ର ସେନ୍ସର ଗେଟ୍‌ ଲକ୍‌ ପଡି ଆଉ ଖୋଲି ନ ଥିଲା। ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣନିଃଶ୍ୱାସୀ ହୋଇପଡିଥିଲେ।

ହେଲେ ଯାତ୍ରୀ ଜଣକ କୌଶଳ କ୍ରମେ ଝରକା ଖୋଲି ବାହାରକୁ ଆସିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ଝରକା ବାଟେ ସୁରକ୍ଷିତ ବାହାର କରାଯାଇଥିଲା। ଅନ୍ୟପକ୍ଷେ ବସ୍‌ରୁ ପ୍ରବଳ ଧୂଆଁ ବାହାରୁଥିଲେ ମଧ୍ୟ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଅଘଟଣ ପୂର୍ବରୁ ଏଡାଇ ଦିଆଯାଇ ପାରିଛି ।

ମିଳିଥିବା ସୂଚନା ମୁତାବକ ଏକ ମୋ ବସ୍‌ ଚୌଦ୍ୱାର ଥାନା ଅଧୀନ ଆଗ୍ରା ହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗାନ୍ଧୀ ଛକରୁ ୩୫ରୁ ଊର୍ଦ୍ଧ ଯାତ୍ରୀଙ୍କୁ ଧରି ଯାଉଥିଲା। ହେଲେ ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ୍‌ ବସ୍‌ରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାତ୍ରୀ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ିକୁ ଅଟକାଇ ଥିଲେ । ସେତେବେଳକୁ ବସ୍‌ରେ ପ୍ରଚଣ୍ଡ ଧୂଆଁ ବାହାରିଥିଲା।

ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ପଟେ ବାହାରିବା ଚେଷ୍ଟା କରିଥିବା ବେଳେ ସେନ୍ସର ଲକ୍‌ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରିଥିଲେ। ଅପରପକ୍ଷେ ବସ୍‌ଗୁଡିକ ଦୀର୍ଘଦିନ ଧରି ମରାମତି ହେଉ ନ ଥିବାରୁ ଏହି ଘଟଣା ଘଟିଥାଇ ପାରେ ବୋଲି ବସ୍‌ ଡ୍ରାଇଭର ଗଣମାଧ୍ୟକୁ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share