ମୋ ବସ୍‌ ଡ୍ରାଇଭରଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଚୌଦ୍ୱାର,୨୯ା୫(ଆଶୁତୋଷ ଦାସ):ଚୌଦ୍ୱାର ଅଞ୍ଚଳରେ ମୋ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ସୁକାନ୍ତ ଦାସଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ମୋ ବସ୍‌ଟି କଟକରୁ ବାହାରି ଚୌଦ୍ୱାର ଆଗ୍ରାହାଟସ୍ଥିତ ଡିଏମ୍‌ଟିଆଇ ଛକରେ ପହଞ୍ଚିଥିଲା। ସେଠାରେ ଯାତ୍ରୀଙ୍କୁ ଓହ୍ଲାଇ ପୁନର୍ବାର କଟକ ଅଭିମୁଖେ ଯିବାକୁ ବହାରୁଥିଲା। ଏହି ସମୟରେ ୩ଜଣ ଯୁବକ କଳାରଙ୍ଗର ଏକ ପଲ୍‌ସର୍‌ ବାଇକ୍‌ରେ ଆସି ବସ୍‌ ସମ୍ମୁଖରେ ଅଟକିଥିଲେ। ହଠାତ୍‌ ବସ୍‌ ଡ୍ରାଇଭର ସୁକାନ୍ତଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ିରୁ ତଳକୁ ଟାଣିଆଣି ମାରଣାସ୍ତ୍ରରେ ତାଙ୍କ ହାତ, ଗୋଡ଼ ଓ ମୁଣ୍ଡକୁ ହାଣି ଦେଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ସମ୍ପୃକ୍ତ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସୁକାନ୍ତଙ୍କୁ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣର କାରଣ ଜଣାପଡ଼ିନାହିଁ। ଏନେଇ ଅଭିଯୋଗ ହେବା ପରେ ଚୌଦ୍ୱାର ପୋଲିସ ତଦନ୍ତ ଆରମ୍ଭ କରିଛି।