ସମ୍ବଲପୁରବାସୀଙ୍କୁ ମିଳିବ ‘ମୋ-ବସ୍‌’ ସେବା: ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୫ ବସ୍‌, ଜାଣନ୍ତୁ କେଉଁ ନମ୍ବର ବସ୍‌ କେଉଁଠିକି ଯିବ…

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଶନିବାରଠାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ‘ମୋ-ବସ୍‌’ ସେବା ଆରମ୍ଭ ହେବ। ଏହାକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇିତିମଧ୍ୟରେ ବସ୍‌ଗୁଡ଼ିକ ସମ୍ବଲପୁରରେ ପହଞ୍ଚି ସାରିଛି।

ଏପରି କି ସହର ମଧ୍ୟରେ ଏହାର ଟ୍ରାଏଲ ରନ୍‌ ମଧ୍ୟ ଶେଷ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ ବସ୍‌ ୪ଟି ବିଭିନ୍ନ ରୁଟ୍‌ରେ ଚଳାଚଳ ଆରମ୍ଭ କରିବ। ସେଥିମଧ୍ୟରେ ୯ଟି ସାଧାରଣ ଓ ୫ଟି ଶୀତତାପ ନିୟନ୍ତ୍ରୀତ ବସ୍‌ ରହିଛି। ସମ୍ବଲପୁର ସହରାଞ୍ଚଳ ସହିତ ମହାନଗର ନିମଗ ଅନ୍ତର୍ଗତ ହୀରାକୁଦ, ବୁର୍ଲା ଓ ସାହାଜବାହାଲ ଅଞ୍ଚଳକୁ ଚଳାଚଳ କରି ଯାତ୍ରୀମାନଙ୍କୁ ନିୟମିତ ବ୍ୟବଧାନରେ ସେବା ଯୋଗାଇ ଦିଆଯିବ। ବସ୍‌ଗୁଡ଼ିକ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍‌ରେ ଯାତ୍ରା କରିବ।

ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ଥିବା ବସ୍‌ଗୁଡ଼ିକୁ ରୁଟ୍‌ ଅନୁସାରେ ନମ୍ବରିଂ କରାଯାଇଛି। ସେଥିମଧ୍ୟରେ ୨୦୦ ନମ୍ବର ବସ୍‌ ସିଟି ଷ୍ଟେସନ ଓ କ୍ଷେତରାଜପୁର ରେଳଷ୍ଟେଷନ, ୨୦୧ ନମ୍ବର ବସ୍‌ ଅଇଁଠାପାଲି ଓ ସହାଜବାହାଲ, ୨୦୨ ନମ୍ବର ବସ୍‌ ଅଇଁଠାପାଲି ଓ ବୁର୍ଲା ମଧ୍ୟରେ ଏବଂ ୨୦୩ ନମ୍ବର ବସ୍‌ ଅଇଁଠାପାଲି ଓ ହୀରାକୁଦ ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।

Share