ଅମୂଳକ ଭାବେ ଟଙ୍କା ବାଣ୍ଟିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା: କଂଗ୍ରେସ

ଭୁବନେଶ୍ବର, ୧୨ା୭(ସୁନିତ୍‌ ମିଶ୍ର): ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ। ଏହି ଯୋଜନାଗୁଡିକର ସୁଫଳ ମଧ୍ୟ ରାଜ୍ୟବାସୀ ପାଇଲେ ନାହିଁ। ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ଅନେକ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନଁାରେ ଘୋଷଣା କରାଯାଉଛି। ସୋମବାର ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବା ପାଇଁ ଘୋଷଣା କରିଛନ୍ତି। ପଞ୍ଚାୟତସ୍ତରରେ କୌଣସି ଉନ୍ନୟନମୂଳକ କାମ କରିବା ପରିବର୍ତେ ନିଜର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଅନ୍ୟାନ୍ୟ ପଞ୍ଚାୟତସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୂଳକ ଉପାୟରେ ବାଣ୍ଟିବା ପାଇଁ ”ମୋ ଓଡ଼ିଶା ନବୀନ ଓଡ଼ିଶା“ ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି ଯେ, ଏ ଯୋଜନାର ଆୟୁଷ କେତେ ବର୍ଷ। ଗତ ୨୪ ବର୍ଷରେ ବହୁତ ଯୋଜନାର ଘୋଷଣା ଏ ସରକାର କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କାଳିଆ ଯୋଜନା, ବଳିଆ ଯୋଜନା, ପିଠା ଯୋଜନା ଇତ୍ୟାଦି ଘୋଷଣା କରାଗଲା। ଏହା ପୂର୍ବରୁ ମୋ କୁଡ଼ିଆ ଯୋଜନା, ମୋ ସାଇକେଲ ଯୋଜନା, ମୋ ମଶାରୀ ଯୋଜନା ଇତ୍ୟାଦି କରାଯାଇଥିଲା। କାଳିଆ ଯୋଜନା ଘୋଷଣା କରି ସରକାର କହିଲେ ଏହି ଯୋଜନା ଦ୍ୱାରା କୃଷକର ଆୟ ବୃଦ୍ଧି ପାଇବ, କୃଷକ ଋଣଗ୍ରସ୍ତ ହେବ ନାହିଁ, କୃଷକ ପରିବାର ସଶକ୍ତ ହେବ। କିନ୍ତୁ ମାତ୍ର ୨ ବର୍ଷ ପରେ, ୨୦୨୧ ତଥ୍ୟ ଅନୁସାରେ ରାଜ୍ୟରେ ଚାଷୀଙ୍କ ଆୟ ଭାରତବର୍ଷର ୨ୟ ସର୍ବନିମ୍ନ। ନିର୍ବାଚନ ଆସିଲେ କେବଳ ଗ୍ରାମାଞ୍ଚଳର ବିକାଶ କଥା ମନେ ପଡ଼ୁଛି। ରାଜ୍ୟର ୩୦% ଗାଁକୁ ସ୍ବଚ୍ଛ ପିଇବା ପାଣି ପାଇପ ମାଧ୍ୟମରେ ଯୋଗାଇ ପାରିନାହାନ୍ତି। ଏତେ ସବୁ ଯୋଜନା କାହାପାଇଁ କରାଯାଇଛି। କଂଗ୍ରେସ ସରକାରକୁ ଆସିଲେ ଓଡ଼ିଶାର ବିକାଶ ବାସ୍ତବରେ କାର୍ଯ୍ୟକାରୀ ହେବ। ଗ୍ରାମାଞ୍ଚଳରେ ଯଦି ଏତେ ସୁଯୋଗ ରହିଛି ତେବେ ଲୋକ ବାହାରକୁ କାହିଁକି ଯାଉଛନ୍ତି ବୋଲି ସେ କହିଛନ୍ତି।

Share