ନୂଆଦିଲ୍ଲୀ,୧୨।୩ : ଜାତୀୟ ନମୁନା ସର୍ଭେ (ଏନଏସଏସ) ର ୭୮ ତମ ରାଉଣ୍ଡର ମଲ୍ଟିପଲ ଇଣ୍ଡିକେଟ ସର୍ଭେ (ଏମଆଇଏସ) ଉପରେ ଆଧାରିତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ କରାଯାଇଛି। ଭଲ କଥା ହେଉଛି ବର୍ତ୍ତମାନ ଦେଶର ଗ୍ରାମାଞ୍ଚଳର ୯୫ ପ୍ରତିଶତରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇଛନ୍ତି।
ଏଥି ସହିତ, ସହରଗୁଡିକର ୮୭.୨ପ୍ରତିଶତ ଲୋକ ଭଲ ପାନୀୟ ଜଳ ପାଇଛନ୍ତି। ସେହିପରି ଗ୍ରାମାଞ୍ଚଳର ପ୍ରାୟ ୫୬.୩ ପ୍ରତିଶତ ଲୋକ ଏବଂ ସହରାଞ୍ଚଳରେ ପ୍ରାୟ ୭୬.୩ ପ୍ରତିଶତ ଲୋକ ଘର ଭିତରେ ଅବସ୍ଥିତ ପାନୀୟ ଜଳର ଉନ୍ନତ ଉତ୍ସ ବ୍ୟବହାର କରୁଛନ୍ତି। ଏହି ରିପୋର୍ଟରେ ଖାଦ୍ୟ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ତଥା ଲୋକଙ୍କ ଘରର ଶୌଚାଳୟ ପର୍ଯ୍ୟନ୍ତ ଦେଶର ଲୋକଙ୍କ ଅବସ୍ଥା ସ୍ପଷ୍ଟ କରାଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସ୍ଥାୟୀ ବିକାଶ ଲକ୍ଷ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୂଚକ ଗଠନ ପାଇଁ ତଥ୍ୟ ସଂଗ୍ରହ କରିବା ହେଉଛି ଏମଆଇଏସର ମୂଳ ଉଦ୍ଦେଶ୍ୟ। ଜାନୁଆରୀ-ଡିସେମ୍ବର ୨୦୨୦ ମଧ୍ୟରେ ପ୍ରଥମ ସର୍ଭେ କରାଯିବାକୁ ଯୋଜନା କରାଯାଇଥିଲା, କିନ୍ତୁ କରୋନା କାରଣରୁ ଏହା ବନ୍ଦ ହୋଇଯାଇଥିଲା। ପରେ ତଥ୍ୟ ସଂଗ୍ରହ କାର୍ଯ୍ୟ ୧୫ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ହୋଇଥିଲା।
ନମୁନା ସଂଗ୍ରହ କରିବାକୁ, ସର୍ଭେକୁ ୧୪,୨୬୬ ୟୁନିଟରେ ବିଭକ୍ତ କରାଯାଇଥିଲା । ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୪୬୯ ୟୁନିଟ ଏବଂ ସହରାଞ୍ଚଳରେ ୫,୭୯୭ ୟୁନିଟ କାର୍ଯ୍ୟ କରିଥିଲା। ଏହି ସର୍ଭେରେ ୨ ଲକ୍ଷ ୭୬ ହଜାର ୪୦୯ ପରିବାର ଅଂଶଗ୍ରହଣ କରିଥିଲେ। ଏଥିରେ ଗ୍ରାମାଞ୍ଚଳର ୧,୬୪,୫୨୯ ପରିବାର ଏବଂ ସହରାଞ୍ଚଳରୁ ୧,୧୧, ୮୮୦ ପରିବାର ଅନ୍ତର୍ଭୁକ୍ତ ହୋଇଥିଲେ।
ରିପୋର୍ଟରେ କୁହାଯାଇଛି ଯେ ଗ୍ରାମାଞ୍ଚଳର ପ୍ରାୟ ୭୮.୭ ପରିବାର ଏବଂ ସହରାଞ୍ଚଳର ପ୍ରାୟ ୯୭.୧ ପରିବାର ଶୌଚାଳୟ ବ୍ୟବହାର କରନ୍ତି। ଗ୍ରାମାଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସର ପ୍ରାୟ ୬୭.୮ ପ୍ରତିଶତ ଏବଂ ସହରାଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସର ପ୍ରାୟ ୮୩.୭ ପ୍ରତିଶତ ଲୋକ ଏକ ସକ୍ରିୟ ସିମ କାର୍ଡ ସହିତ ମୋବାଇଲ ବ୍ୟବହାର କରୁଛନ୍ତି।
ଗ୍ରାମାଞ୍ଚଳରେ ପ୍ରାୟ ୮୯.୩ ଏବଂ ସହରାଞ୍ଚଳରେ ପ୍ରାୟ ୮୯.୬ ପ୍ରତିଶତ ଲୋକ ବ୍ୟକ୍ତିଗତ ଭାବରେ କିମ୍ବା ଏକ ବ୍ୟାଙ୍କ / ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ / ମୋବାଇଲ ମନି ସେବା ପ୍ରଦାନକାରୀଙ୍କ ସହିତ ଏକ ଆକାଉଣ୍ଟ ରହିଛି।
ଗ୍ରାମାଞ୍ଚଳର ପ୍ରାୟ ୪୯.୮ ପ୍ରତିଶତ ପରିବାର ଏବଂ ସହରାଞ୍ଚଳର ପ୍ରାୟ ୯୨.୦ ପ୍ରତିଶତ ପରିବାର ରୋଷେଇ ପାଇଁ ସ୍ବଚ୍ଛ ଇନ୍ଧନ ଭାବେ ଏଲପିଜି, ଅନ୍ୟାନ୍ୟ ପ୍ରାକୃତିକ ଗ୍ୟାସ, ଗୋବର ଗ୍ୟାସ, ଅନ୍ୟ ବାୟୋଗ୍ୟାସ, ସୌର / ପବନ ଶକ୍ତି ଜେନେରେଟର ଦ୍ୱାରା ଉତ୍ପାଦିତ ଶକ୍ତି ଏବଂ ସୌର କୁକର ବ୍ୟବହାର କରନ୍ତି।