Categories: ଜାତୀୟ

ମହିଳା ହୋମଗାର୍ଡଙ୍କ ଅନ୍ତଃବସ୍ତ୍ରରେ ମୋବାଇଲ୍‌: ୫ ମିନିଟ୍‌ କଲିଂ ପାଇଁ ୧୦୦ ଟଙ୍କା ଦେଉଥିଲେ କଏଦୀ

ଗ୍ରେଟର ନୋଏଡା,୧୧।୪: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଲୁକସାର ଜେଲ୍‌ରେ ଜଣେ ହୋମଗାର୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଜେଲ୍‌ର ମହିଳା ବାରାକ୍‌ରେ ମୁତୟନ ଥିବା ମହିଳା ହୋମଗାର୍ଡ ସାଧନା ନିଜ ଅନ୍ତଃବସ୍ତ୍ରରେ ମୋବାଇଲ ଫୋନ୍‌ ଲୁଚାଇ ରଖିଥିଲେ। ସେ କଏଦୀଙ୍କୁ ସେମାନଙ୍କର ପ୍ରିୟପରିଜନଙ୍କ ସହିତ ହ୍ବାଟସ୍‌ଆପ୍‌ରେ କଲିଂ କରିବା ଲାଗି ସହାୟତା କରୁଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଏଥିପାଇଁ ସେ କଏଦୀଙ୍କଠାରୁ ୫ ମିନିଟ୍‌ କଲିଂ ଲାଗି ୧୦୦ ଟଙ୍କା ନେଉଥିତ୍ଲେ। ହୋମଗାର୍ଡଙ୍କଠାରୁ ଜବତ ହୋଇଥିବା ମୋବାଇଲରୁ ୬-୭ ଅଜଣା ନମ୍ବରକୁ ହ୍ବାଟସ୍‌ଆପ୍‌ କଲିଂ କରାଯାଇଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ଜେଲ୍‌ ଅଧିନିୟମ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ଏନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ହୋମଗାର୍ଡ ସାଧନାଙ୍କ ତଲାସୀ ନିଆଯାଇଥିଲା ବୋଲି ଜେଲ୍‌ ଅଧିକ୍ଷକ ଭୀମସେନ ମୁକୁନ୍ଦ କହିଛନ୍ତି। ଜେଲ୍‌ରେ ୨ ଜି ଏବଂ ୩ ଜି ଜାମର ଲଗାଯାଇଛି। ତେବେ ଏଠାରେ ୪ ଜି ନେଟ୍‌ଓ୍ବାର୍କ ଉପଲବ୍ଧ ହେଉଛି। ଏବେ ସୁରକ୍ଷା ଦୃଷ୍ଟିରୁ ଜେଲ୍‌ରେ ୪ ଜି ଜାମର ଲଗାଯିବାର ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Share