ଜେଲ କର୍ମଚାରୀଙ୍କୁ ମୋବାଇଲ ମନା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଝାରପଡ଼ା ସ୍ବତନ୍ତ୍ର ଜେଲ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଗ୍ରହଣ କରାଯାଇଛି। କାରାଗାର ଅଧିକ୍ଷକ, ଜେଲରଙ୍କ ବ୍ୟତୀତ ଅନ୍ୟ କର୍ମଚାରୀମାନେ ଡ୍ୟୁଟି ସମୟରେ ଜେଲ ଭିତରକୁ ମୋବାଇଲ ଫୋନ ନେଇ ପାରିବେ ନାହିଁ। ସେହିପରି ଜେଲ ଆଇଜିଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ନିୟମିତଭାବେ ଚଢ଼ାଉ କରି ମୋବାଇଲ ଫୋନ୍‌ ଓ ନିଶାଦ୍ରବ୍ୟ ପ୍ରବେଶପରି ବେଆଇନ କାର୍ଯ୍ୟକୁ ରୋକିବ। ଫାଟକ ଓ୍ବାର୍ଡରମାନେ ନିୟମିତ ବଦଳିବା ସହ ରୋଟେଶନରେ ଅନ୍ୟ ଡ୍ୟୁଟି ସମ୍ଭାଳିବେ। ଏନେଇ ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ ୧୨ ତାରିଖରେ ଝାରପଡା ଜେଲ ଭିତରର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କଏଦୀମାନେ ନିଶା ସେବନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ନିଶା ଜେଲ ଭିତରକୁ କିପରି ଯାଉଛି ବୋଲି ତନାଘନା ଆରମ୍ଭ ହୋଇଥିଲା। ଏଥିରେ ଜେଲର କେଜେଣ ଅସାଧୁ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜେଲ ବିଭାଗ ସନ୍ଦେହ କରିବାପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Share