Categories: ଜାତୀୟ

ସରକାରୀ କାର୍ଯ୍ୟାଳୟରେ ମୋବାଇଲ ଫୋନ୍‌ ବନ୍ଦ ହେବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ, ୧୫।୩ : ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯିବା ଉଚିତ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.ଏମ. ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିୟମ ପ୍ରସ୍ତୁତ କରିବାକୁ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ’ଯଦି ଜରୁରୀକାଳୀନ କଲ ଥାଏ, ତେବେ ସିନିୟରଙ୍କ ଅନୁମତି ନେଇ ଅଫିସ ବାହାରକୁ ଯାଇ ଏହାକୁ ରିସିଭ୍‌ ଯାଇପାରିବ। ଏହା ବ୍ୟତୀତ, ଯେକୌଣସି ପରିସ୍ଥିତିରେ, ମୋବାଇଲ ଫୋନ ସୁଇଚ ଅଫ କିମ୍ବା ସାଇଲେଣ୍ଟ୍‌ କିମ୍ବା ଭାଇବ୍ରେଶନ ମୋଡରେ ରଖିବା ଉଚିତ।

ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଖଣ୍ଡପୀଠ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟରେ ଅନୁଶାସନ ରହିବା ଜରୁରୀ। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ଅଫିସରେ ମୋବାଇଲ ଫୋନ ବ୍ୟବହାର ମାମଲା ବୃଦ୍ଧି ପାଉଛି। ଏହା କାର୍ଯ୍ୟ ଉପରେ ପ୍ରଭାବ ପକାଉଛି। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସରକାର ଏକ ସର୍କୁଲାର ଜାରି କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଜଣେ କର୍ମଚାରୀ ତାଙ୍କ ସାଥୀଙ୍କ ଭିଡିଓ ପ୍ରସ୍ତୁତ କରୁଥିବାରୁ ନିଲମ୍ବିତ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ମହାରାଷ୍ଟ୍ର ସରକାର ମଧ୍ୟ କହିଥିଲେ ଯେ କର୍ମଚାରୀମାନେ ଅଫିସରେ ଅତି କମ ସମୟ ମୋବାଇଲ ଫୋନ ବ୍ୟବହାର କରିବା ଉଚିତ। ସରକାର ଏହା ମଧ୍ୟ କହିଥିଲେ ଯେ ଲ୍ୟାଣ୍ଡଲାଇନ ଫୋନ କଥା ହେବା ପାଇଁ ବ୍ୟବହାର କରାଯାଇପାରିବ।

ମହାରାଷ୍ଟ୍ର ଜେନେରାଲ ଆଡମିନିଷ୍ଟ୍ରେସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଥିଲା ଯେ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ।

Share