ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର ରାତିରେ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ସରଞ୍ଜାମ ଲୁଟ୍‌ କରିନେଇଛନ୍ତି। କାନ୍ଥ ଆଉ ସେଲ୍ଫ କାଟିବା ବେଳେ ଦୁର୍ବୃତ୍ତଙ୍କ ହାତ ସେଲ୍ଫ କାଚରେ ବାଜି କଟି ଯାଇଥିବାରୁ ବିଭିନ୍ନ ସ୍ଥାନରେ ଲୁଟେରାମାନେ ଫିଙ୍ଗର ପ୍ରିଣ୍ଟ ଛାଡ଼ି ଯାଇଛନ୍ତି। ଥାନାଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଥିବା ଏହି ମୋବାଇଲ ଦୋକାନରୁ ଦୁର୍ବୃତ୍ତମାନେ କାନ୍ଥ ତାଡ଼ି ୫୦ରୁ ଊଦ୍ଧର୍‌ବ ସ୍ମାର୍ଟ ଫୋନ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପାଟଣା ଥାନା ଅଞ୍ଚଳରେ ଏବେ ଲୁଟେରାମାନେ ସକ୍ରିୟ ହୋଇ ଉଠି ବାରମ୍ବାର ଚୋରି ଆଉ ଲୁଟ୍‌ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଗତ ୩ଟି ଲୁଟ୍‌ ମାମଲାରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ। ରାତ୍ର କାଳୀନ ପାଟ୍ରୋଲିଂକୁ ଢିଲା କରିବା ଆଉ କମ୍‌ ସଂଖ୍ୟକ ହୋମଗାର୍ଡଙ୍କୁ ମୁତୟନ କରିଥିବାରୁ ବାରମ୍ବାର ଲୁଟେରାମାନେ ପୋଲିସକୁ ଚକ୍‌ମା ଦେଖାଇ ଲୁଟ୍‌ କରିବାରେ ସଫଳ ହେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Share