Categories: ଜାତୀୟ

ବୁଲ୍‌ଡୋଜର ଆକ୍ସନ ଆଇନର ପରିହାସ

ନୂଆଦିଲ୍ଲୀ, ୧୫ା୬: ପ୍ରଫେଟ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିବାକୁ ନେଇ କେତେଜଣ ପୂର୍ବତନ ବିଚାରପତି ଏବଂ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଏପରି କରି ୟୁପି ସରକାର ଆଇନର ପରିହାସ କରୁଥିବା ସେମାନେ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଏହି ଘଟଣାରେ ନିଜ ଆଡ଼ୁ ମାମଲା କରି ଶୁଣାଣି କରିବାକୁ ସିଜେଆଇଙ୍କୁ ଚିଠିରେ ନିବେଦନ କରାଯାଇଛି। ଏଥିରେ ସୁପ୍ରିମକୋର୍ଟର ୩ ଜଣ ପୂର୍ବତନ ବିଚାରପତି ଜଷ୍ଟିସ୍‌ ବି. ସୁଦର୍ଶନ ରେଡ୍ଡି, ଜଷ୍ଟିସ୍‌ ଭି. ଗୋପାଳ, ଗୌଡା, ଜଷ୍ଟିସ୍‌ ଏ. କେ. ଗାଙ୍ଗୁଲିଙ୍କ ସମେତ ୧୨ ପୂର୍ବତନ ଜଜ୍‌ ଏବଂ ବରିଷ୍ଠ ଆଇନଜୀବୀ ଦସ୍ତଖତ କରି ୟୁପିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ରୋକିବାକୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି।
ଦର୍ଶାଯାଇଛି, ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ୟୁପିର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ହିଂସାକାଣ୍ଡ ଘଟାଇଥିଲେ। ଆନ୍ଦୋଳନକାରୀଙ୍କ କଥା ଶୁଣିବା ସହ ସେମାନେ କିପରି ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ କରିବେ ସେ ଦିଗରେ ପଦକ୍ଷେପ ନ ନେଇ ୟୁପି ସରକାର ଅଭିଯୁକ୍ତଙ୍କ ବିରୋଧରେ ହିଂସାତ୍ମକ ଉପାୟରେ ବୁଲ୍‌ଡୋଜର ଲଗାଇ ଘର ଭାଙ୍ଗୁଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀଙ୍କୁ ଏପରି ଆକ୍ସନ ନେବାକୁ କହିଥିବା ଜଣାଯାଇଛି। ଭବିଷ୍ୟତରେ ଯେପରି କେହି ଆଇନକୁ ହାତକୁ ନ ନେବା ସହ ବିଶୃଙ୍ଖଳା ସୃଷ୍ଟି ନ କରିବେ ସେ ଦିଗରେ ଉଦାହରଣ ସୃଷ୍ଟି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏଥିସହ ଜାତୀୟ ସୁରକ୍ଷା ଆଇନ, ୧୯୮୦ ଏବଂ ୟୁପି ଗ୍ୟାଙ୍ଗଷ୍ଟର୍ସ ଏବଂ ଆସାମାଜିକ କାର୍ଯ୍ୟ ନିରୋଧୀ ଆଇନ, ୧୯୮୬ ବଳରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ରହିଛି। ଫଳରେ ପୋଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ନିର୍ଯାତନା ଦେବା ସହ ବେଆଇନ କାର୍ଯ୍ୟ କରୁଛନ୍ତି। ଘର ଭାଙ୍ଗିବା ପାଇଁ କୌଣସି ନୋଟିସ୍‌ ମଧ୍ୟ ସେମାନଙ୍କୁ ନିଆଯାଇନାହିଁ। ଅନ୍ୟପକ୍ଷରେ ବହୁଳ ପ୍ରସାରିତ ହୋଇଥିବା ଏକ ଭିଡିଓରେ ପୋଲିସ କେତେଜଣ ଯୁବକଙ୍କୁ ଥାନାରେ ଲାଠିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ବହୁ ଯୁବକ ରହିଛନ୍ତି। ଏପରି ବେଆଇନ ଓ ବିବେକହୀନ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ଶାସକ ଦଳର ଏପରି ବେଆଇନ କାର୍ଯ୍ୟ ଯୋଗୁ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ଆଇନର ଶାସନରେ ସମ୍ବିଧାନକୁ ପରିହାସ କରାଯାଉଛି। ତେଣୁ ସୁପ୍ରିମକୋର୍ଟ ଘଟଣାକୁ ଗୁରୁତ୍ୱର ସହ ଦେଇ ନିଜ ଆଡ଼ୁ ମାମଲାର ବିଚାର କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ ବିଚାରପତି ଏବଂ ଆଇନଜୀବୀମାନେ ନିବେଦନ କରିଛନ୍ତି।
ପତ୍ରରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ. ପି. ଶାହା, ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କେ. ଚନ୍ଦ୍ରୁ, କର୍ନାଟକ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମହମ୍ମଦ ଅନଓ୍ବାରଙ୍କ ସମେତ ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣ, ଇନ୍ଦିରା ଜୟ ସିଂ, ଚନ୍ଦର୍‌ ଉଦୟ ସିଂ, ଶ୍ରୀରାମ ପଞ୍ଚୁ, ପ୍ରଶାନ୍ତ ଭୂଷଣ, ଆନନ୍ଦ ଗ୍ରୋଭର ମଧ୍ୟ ପିଟିଶନରେ ଦସ୍ତଖତ କରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୦ ଆନ୍ଦୋଳନରେ ସାମିଲ ଥିବା ଲୋକଙ୍କ ମଧ୍ୟରୁ ୟୁପି ପୋଲିସ ୮ ଜିଲାରୁ ୩୩୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ୧୨ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।

Share