Categories: ଜାତୀୟ

ସେନା ଗାଡ଼ିକୁ ବାଟ ଛାଡ଼ିଲେ ନାହିଁ ନିଶାଗ୍ରସ୍ତ ମଡେଲ

ଭୋପାଳ, ୧୦ା୯- ବ୍ୟସ୍ତବହୂଳ ରାସ୍ତା ମଝିରେ ସେନା ଗାଡ଼ିକୁ ରୋକିବା ସହ ବାଟ ନ ଛାଡ଼ିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଜଣେ ୨୨ ବର୍ଷୀୟା ମଡେଲଙ୍କୁ ପଚରାଉଚୁରା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିଅରରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ ମଝି ରାସ୍ତାରେ ସେନା ଗାଡ଼ି ଆଗରେ ଛିଡ଼ା ହୋଇଯାଇଥିଲେ। ଯୁବତୀ ଜଣଙ୍କ ଗାଡ଼ିର ବମ୍ପରକୁ ବାରମ୍ବାର କିକ୍‌ କରିଥିଲେ। ଏଥିଯୋଗୁ ତାଙ୍କ ପର୍ସରେ ଥିବା ମଦ ବୋତଲ ଖସି ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଗାଡ଼ି ଚାଳକ ଯୁବତୀଙ୍କୁ ରାସ୍ତା ଛାଡ଼ିବା ପାଇଁ ବୁଝାଇବା ସହ ଅନୁରୋଧ କରିଥିଲେ। କିନ୍ତୁ ଗାଡ଼ି ଆଗରୁ ହଟି ନ ଥିଲେ ଯୁବତୀ। ସ୍ଥାନୀୟ ପୋଲିସ ଯୁବତୀଙ୍କ ମେଡିକାଲ ରିପୋର୍ଟକୁ ଭିତ୍ତି କରି ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ପଠାଇଥିଲା। ପରେ ଜାମିନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ତେବେ ଯୁବତୀ ଜଣଙ୍କ ଦିଲ୍ଲୀରେ ମଡେଲିଂ କରନ୍ତି। ୨ ସାଙ୍ଗଙ୍କ ସହ ସେ ଗ୍ବାଲିଅର ଆସିଥିଲେ।

Share