ମୋଟା, ପତଳାଠୁ ଆରମ୍ଭ କରି କଳା, ଗୋରା ଏମିତି କି ଅଜବ ଦେଖିବାକୁ ଥିବା ମଡେଲ ସମ୍ପର୍କରେ ଜାଣିଥିବେ। ତେବେ ଜାଣନ୍ତି କି ଏବେ ପ୍ରାଣୀମାନେ ବି ମଡେଲିଂ କଲେଣି। ନିକଟରେ ଏକ ବିରାଟ ଭାଲୁ ମଡେଲ୍ର ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମଡେଲ ଭାଲୁର ନାଁ ହେଉଛି ଷ୍ଟେପାନ୍। ଏହାର ବୟସ ହେଉଛି ୨୮ ବର୍ଷ। ମାଟିଆ ରଙ୍ଗର ଏହି ବିରାଟକାୟ ଭାଲୁ ରୁଷୀୟାର ଅଟେ। ଛୋଟବେଳେ ତାକୁ ତା’ ମା’ ଛାଡି ଚାଲି ଯାଇଥିଲା। ଶ୍ୱେତଲାନା ଓ ୟୁରି ପାଣ୍ଟେଲିଙ୍କୋ ନାମକ ଦମ୍ପତି ତାକୁ ପୋଷ୍ୟଭାବେ ଗ୍ରହଣ କଲେ। ବେଶ୍ ଯତ୍ନରେ ପାଳିଲେ। ଏବେ ସେ ଆକାରରେ ବିରାଟକାୟ ପାଲଟିଛି। କିନ୍ତୁ ଷ୍ଟେପାନ୍ ଭାରି ସ୍ନେହୀ ଓ ମଣିଷଙ୍କୁ ବହୁତ ଭଲ ପାଏ। ରୁଷୀୟାର ପ୍ରସିଦ୍ଧ ଫଟୋଗ୍ରାଫର୍ ମିଲା ଦାନୋଭା, ଷ୍ଟେପାନ୍ ସମ୍ପର୍କରେ ଜାଣିବା ପରେ ତାକୁ ମଡେଲ୍ କରାଇବାକୁ ଚାହିଁଲେ। ଏବେ ପୃଥିବୀର ବିଭିନ୍ନ ସ୍ଥାନରୁ ମଡେଲ ଆସୁଛନ୍ତି ଷ୍ଟେପାନ୍ ସହ ଫଟୋଶୁଟ୍ କରିବା ପାଇଁ। ତାଙ୍କ ଶୁଟ୍ଗୁଡିକ ପ୍ରାୟତଃ ଫେୟାରୀ ଟେଲ୍ କାହାଣୀ ଉପରେ ଆଧାରିତ। ଷ୍ଟେପାନ୍ ମଡେଲଙ୍କ ସହ ବେଶ୍ ସହଜତାର ସହ ଫଟୋଶୁଟ୍ କରିଥାଏ। ଆଉ ସେଗୁଡିକୁ ଦେଖିଲେ ଯେ କେହି ପରୀ ଦୁନିଆର କାହାଣୀ ଭିତରେ ହଜିଯିବେ।