ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ଲାଗି ସେ ରାଞ୍ଚିର ଝିିରିଠାରେ ଥିବା ଡମ୍ପି ୟାର୍ଡରେ କ୍ୟାଟ୍‌ଓ୍ବାର୍କ କରିଛନ୍ତି। ଏକ ଲାଲ୍‌ ଡ୍ରେସ୍‌ ପିନ୍ଧି ସୁରଭୀ ଏଭଳି କରିଛନ୍ତି। ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଅଳିଆ ଉପରେ କ୍ୟାଟୱାର୍କ କରୁଥିବାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରଭୀ କହିଛନ୍ତି ଯେ ଦେଶର ବହୁ ଆବର୍ଜନା ଡମ୍ପିଂ ୟାର୍ଡରେ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରି ଅଳିଆ ସଫା କରାଯାଉଛି, କିନ୍ତୁ ରାଞ୍ଚିରେ ଏହା ହେଉନାହିଁ। ଏହି କାରଣରୁ ଆଖପାଖର ଲୋକେ ଅସୁସ୍ଥ ହେଉଛନ୍ତି। ମିସ୍‌ ଝାଡ଼ଖଣ୍ଡ ହୋଇଥିବା ସୁରଭୀଙ୍କର ଏଭଳି ପଦକ୍ଷେପକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।
ତେବେ ଏହି କ୍ୟାଟ୍‌ ଓ୍ବାକ ର୍‌ ଶୁଟିଂ ପରେ ସୁରଭୀଙ୍କ ପାଦରେ ସଂକ୍ରମଣ ହୋଇଥିଲା ଏବଂ ତାଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡିଥିଲା।
ଏକ ଆକଳନ ଅନୁଯାୟୀ, ପ୍ରତିମାସରେ ହାରାହାରି ୧୫, ୩୦୦ ଟନ ଆବର୍ଜନା ରାଞ୍ଚିର ଏହି ଡମ୍ପିଂ ୟାର୍ଡରେ ଜମା ହୋଇଥାଏ। ଗୋଟିଏ ବର୍ଷରେ ଏହା ୧.୮୩ ଲକ୍ଷ ଟନ ଛୁଇଁଥାଏ। ଗତ ୧୦ ବର୍ଷ ମଧ୍ୟରେ ଏଠାରେ ୧୬ ଲକ୍ଷ ଟନରୁ ଅଧିକ ଅଳିଆ ଜମା ହୋଇଛି। ଅଭିଯୋଗ ହୋଇଛି ଯେ ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନ ଗତ ୫ ବର୍ଷ ଧରି ବର୍ଜ୍ୟ ପ୍ରକ୍ରିୟା କରଣ କାରଖାନା ନିର୍ମାଣ ସମ୍ପର୍କରେ କହୁଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଫଳରେ ସ୍ଥାନୀୟ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ କଷ୍ଟକର ହୋଇପଡିଛି।
ଏହି ପରିପ୍ରେକ୍ଷୀରେ, ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନର ମ୍ୟୁନିସିପାଲିଟି କମିଶନର ମୁକେଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ମ୍ୟୁନିସିପାଲିଟି କର୍ପୋରେସନ ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରିବାକୁ ଯୋଜନା କରିଛି। ଏଠାରେ ଏକ ବର୍ଜ୍ୟବସ୍ତୁ ରିସାଇକ୍ଲିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏନେଇ ଟେଣ୍ଡର ଜାରି କରାଯାଇଛି। ଏହି ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ତିଆରି କରିବାର ଯୋଜନା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

Share