ତେହରାନ, ୨୬ା୯: ଇରାନରେ ମହସା ଆମିନିଙ୍କୁ ନ୍ୟାୟ ଦାବି ଏବଂ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବାବେଳେ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି ଇରାନୀୟ ସୁପରମଡେଲ ମହଲ୍ଗା ଜାବେରୀ। ହିଜାବ ନ ପିନ୍ଧିବାରୁ ଇରାନର ଧର୍ମୀୟ ବ୍ୟାପାର ପୋଲିସ ୨୨ ବର୍ଷୀୟା ଆମିନିଙ୍କୁ ଗିରଫ କରିବା ଏବଂ ବର୍ବରତାରେ ତାଙ୍କ ମୃତ୍ୟୁ ଘଟିବା ଲଜ୍ଜାଜନକ ବୋଲି ଜାବେରୀ କହିଛନ୍ତି। ସେମାନେ ଅନ୍ୟକୁ ଦେଉଥିବା ସ୍ବାଦ ନିଜେ ଚାଖନ୍ତୁ ବୋଲି ବିକ୍ଷୋଭକାରୀଙ୍କୁ ସମର୍ଥନ କରି ଜାବେରୀ ଲେଖିଛନ୍ତି।
ସୋସିଆଲ ମିଡିଆରେ ଏହି ମଡେଲ ଜଣକ ଖୋଲାଖୋଲି ନିଜ ମତ ରଖିବା ପରେ ସମସ୍ତଙ୍କ ପାଇଁ ସେ ଜଣେ ସୁପରଷ୍ଟାର ପାଲଟିଯାଇଛନ୍ତି। ଇସ୍ଲାମୀୟ ରାଷ୍ଟ୍ର ଇରାନ ପୋଲିସ ବିରୋଧରେ ଜାବେରୀ ସାହସିକତାର ସହ ମହିଳାଙ୍କ ଅଧିକାର କ୍ଷୁଣ୍ଣ ହେବା ଭଳି କାର୍ଯ୍ୟକଳାପକୁ ନିନ୍ଦା କରିବାକୁ ଅନେକ ପ୍ରଶଂସା କରିଛନ୍ତି। ଫେମିନିଜମ୍ ବା ନାରୀବାଦ ଏବଂ ମାନାବଧିକାରର ସବୁଠୁ ବଡ଼ ଲଢ଼େଇ ଇରାନରେ ଚାଲିଛି। ଯଦି ତୁମେ ପୃଥିବୀରେ ଅଛ କିନ୍ତୁ ଏସବୁ ଦେଖି ନୀରବ ବସିଛ ତେବେ ମହିଳା ଅଧିକାର ବାବଦରେ କିଛି କହିବା ଅଧିକାର ନାହିଁ ବୋଲି ଜାବେରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।