ଏଆଇ ଜରିଆରେ ହଜାରେଙ୍କୁ ଡେଟ୍‌ କରୁଛନ୍ତି ମଡେଲ

ଟିବିଲିସି, ୧୪।୫: ଆଗାମୀ ଦିନରେ ମନୁଷ୍ୟର ଏକ ବଡ଼ ବିକଳ୍ପ ହେବାକୁଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। ମଣିଷ ଯେଉଁସବୁ କାମ କରୁଛି ତାକୁ ଅତି ସହଜରେ ବିନା ବାଧାରେ ଏଆଇ ମାଧ୍ୟମରେ କରାଯାଇପାରୁଛି। ଏହାର ବ୍ୟବହାର କରି ଜର୍ଜିଆର କାରିନ୍‌ ମାର୍ଜୋରି ବିପୁଳ ପରିମାଣର ଅର୍ଥ ରୋଜଗାର କରୁଛନ୍ତି। ଜଣେ ମଡେଲ ହେବା ସହ କାରିନ୍‌ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର। ତାଙ୍କର ଏକାସାଙ୍ଗରେ ହଜାରେରୁ ଊର୍ଦ୍ଧ୍ୱ ବୟଫ୍ରେଣ୍ଡ ଅଛନ୍ତି। ସେମାନଙ୍କ ସହ ଡେଟ୍‌ରେ ଯିବା କାରିନ୍‌ଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଥିବାବେଳେ ସେ ଏହାର ଉପାୟ ଏଆଇ ଜରିଆରେ ବାହାର କରିଛନ୍ତି। କାରିନ୍‌ (୨୩) ନିଜର ଏକ ଏଆଇ କ୍ଲୋନ୍‌ କରିଛନ୍ତି, ଏହା ସାହାଯ୍ୟରେ ସେ ବର୍ତ୍ତମାନ ତାଙ୍କର ଏକାଧିକ ବୟଫ୍ରେଣ୍ଡଙ୍କ ସହ ଡେଟ୍‌ରେ ଯିବା ସହ ଅର୍ଥ ମଧ୍ୟ ଉପାର୍ଜନ କରୁଛନ୍ତି। କାରିନ୍‌ ଡେଟ୍‌ରେ ଯିବାବେଳେ ଗୋଟିଏ ମିନିଟ୍‌ ପାଇଁ ୧ ଡଲାର ଡିମାଣ୍ଡ କରନ୍ତି। ଗୋଟିଏ ଘଣ୍ଟା ପାଇଁ ଡେଟ୍‌ରେ ଗଲେ ସେ ୫ ହଜାର ଟଙ୍କା ନେଉଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଯେକେହି ବି କାରିନ୍‌ ଏଆଇ ସହିତ କଥା ହୋଇ ସମୟ ବିତାଇ ପାରିବ। ବର୍ତ୍ତମାନର ଯୁବପିଢ଼ିଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହାର ହେଉଥିବା ସ୍ନାପ୍‌ଚାଟ୍‌ରେ କାରିନ୍‌ଙ୍କର ୧.୮ ନିୟୁତ ଫଲୋର୍ସ ରହିଛନ୍ତି। ଡେଟ୍‌ରୁ କାରିନ୍‌ ୭୧,୬୧୦ ଡଲାର (ପାଖାପାଖି ୫୮.୭ ଲକ୍ଷ ଟଙ୍କା) ରୋଜଗାର କରୁଥିବାବେଳେ ମାସକୁ ତାଙ୍କ ଆୟ ୫ ନିୟୁତ ଡଲାର। ଫରଏଭର ଭଏସେସ୍‌କୁ ବ୍ୟବହାର କରି କାରିନ୍‌ ନିଜ ଏଆଇ ତିଆରି କରିଛନ୍ତି। ଫରଏଭର କମ୍ପାନୀ ପ୍ରତିଷ୍ଠାତା ପ୍ରଥମ କରି ତାଙ୍କ ବାପାଙ୍କ ଏଆଇ ତିଆରି କରିଥିଲେ। ଏଆଇ ସହିତ କାଟିଥିବା ସମୟ ସମ୍ପର୍କରେ ସେ ନିଜର ଭଲ ଅନୁଭୂତି ଥିବା କହିଥିଲେ। ମଣିଷ ଜୀବନକୁ ଏଆଇ ପ୍ରଭାବିତ କରୁଥିବାବେଳେ ଏ ସମ୍ପର୍କରେ ଗଭୀର ଚିନ୍ତା କରିବାର ଆବଶ୍ୟକତା ରହିଥିବା ଜର୍ଜିଆର ଟେକ୍‌ ଏକ୍ସପର୍ଟ ଡ. ଜସୋନ ବୋରେନ୍‌ଷ୍ଟେନ୍‌ କହିଛନ୍ତି।

Share