ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍ର ବହୁ ଅଭିନେତ୍ରୀ ଓ ମଡେଲ୍ଙ୍କୁ ସାମିଲ କରାଯାଇଛି। ସୁକେଶକୁ ବଲିଉଡ୍ ଆକ୍ଟ୍ରୋସ୍ମାନଙ୍କ ନିକଟତର କରିବାରେ ବଡ଼ ମାଧ୍ୟମ ପାଲଟିଥିଲେ ପିଙ୍କି ଇରାନୀ। ଘଟଣାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଙ୍କିଙ୍କ ନାମ ଚାର୍ଜଶିଟ୍ରେ ଉଲ୍ଲେଖ କରିଛି। ଏ ନେଇ ବୁଧବାର ଓ ଗୁରୁବାର ଲଗାତର ଦୁଇଦିନ ଧରି ଇଡି ପିଙ୍କିଙ୍କୁ ଜେରା ମଧ୍ୟ କରିଛି। ୫୩ ବର୍ଷୀୟ ପିଙ୍କିଙ୍କୁ ଇଡି ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କ ସମେତ ଅନ୍ୟ ମଡେଲମାନଙ୍କ ପର୍ସନାଲ ଶପର୍ ବୋଲି କହିଛି।
ପୂର୍ବରୁ ପିଙ୍କି ଇରାନୀ ଟିଭି ଶୋ’ରେ ଆଙ୍କରିଂ କରୁଥିଲେ। ଏଣ୍ଟରଟେନ୍ମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ସେ ବେଶ୍ ଜଣାଶୁଣା। ସୁକେଶଙ୍କ ପାଇଁ ବଲିଉଡ୍ରୁ ଅଭିନେତ୍ରୀ ଓ ମଡେଲଙ୍କ ସହ ସେ ଯୋଗାଯୋଗ କରୁଥିଲେ। ସୁକେଶଙ୍କ ସହ ଦେଖା କରିବା ଏବଂ ଫୋନ୍ ଯୋଗେ କଥା ହେବା ପାଇଁ ପିଙ୍କି ଅଭିନେତ୍ରୀମାନଙ୍କୁ କହୁଥିଲେ। ଏଥିସହ ସେମାନଙ୍କ ପାଇଁ ଦାମୀ ଗିଫ୍ଟ କିଣିବାରେ ସେ କନ୍ମ୍ୟାନ୍କୁ ସହଯୋଗ କରୁଥିଲେ। ଇନ୍ଷ୍ଟାଗ୍ରାମ ଜରିଆରେ ସୁକେଶ ଓ ପିଙ୍କି ୨୦୧୬-୧୭ ମଧ୍ୟରେ ପରିଚିତ ହୋଇଥିଲେ। ସୁକେଶ ତାଙ୍କ ସହିତ ଟ୍ୟାଲେଣ୍ଟ ଏଜେନ୍ସି ସର୍ଭିସ୍ ଷ୍ଟାର୍ଟ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।