ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୧: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଦ୍ୱାଦଶ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ଜିଲାର ସୁନ୍ଦରଗଡ଼, ତଲସରା, ବୀରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣାଇ ନିର୍ବାଚନମଣ୍ଡଳୀକୁ ୧୩୯.୫୦ କୋଟି ଟଙ୍କା ମିଳିଛ। ସେହିପରି ଢେଙ୍କାନାଳ ଜିଲାର ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ ନିର୍ବାଚନମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ବୌଦ୍ଧ ଜିଲାର କଣ୍ଟାମାଳ, ବୌଦ୍ଧ ନିର୍ବାଚନମଣ୍ଡଳୀକୁ ୩୪.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ସହ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡ଼ିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁରେ ଆଧୁନିକ ଓଡ଼ିଶାର ଭିତ୍ତି ସ୍ଥାପନ ହେବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ।

Share