ଆଧୁନିକୀକରଣ ହେବ ଜେଲ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ ଥିବା ଜେଲଗୁଡ଼ିକର ଆଧୁନିକୀକରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନେକ ସମୟରେ ଜେଲରେ ରହୁଥିବା କଏଦୀଙ୍କ ନିକଟରୁ ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ବେଆଇନ ଜିନିଷ ଜବତ କରାଯାଉଛି। ତେଣୁ ଜେଲ ମଧ୍ୟକୁ ଏହାର ପ୍ରବେଶ ବନ୍ଦ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସର୍କଲ ଜେଲ, ଜିଲା ଜେଲ ଓ କେତେକ ସମ୍ବେଦନଶୀଳ ଜେଲରେ ଉଚ୍ଚ କ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟର ଲଗାଯିବ। ପ୍ରଥମଥର ପାଇଁ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ରାଜ୍ୟର ଜେଲ୍‌ କର୍ମଚାରୀଙ୍କୁ ବଡ଼ି କ୍ୟାମେରା ପ୍ରଦାନ କରାଯିବ। ଏଥିରେ ଝାରପଡା ଓ ଚୌଦ୍ୱାର ଜେଲକୁ ୨୦ଟି ବଡି କ୍ୟାମେରା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ଜେଲଗୁଡ଼ିକୁ ଦିଆଯିବ। ଅନ୍ୟପକ୍ଷରେ ରାଜ୍ୟରେ ଅପରାଧ ବଢୁଥିବାରୁ ଜେଲରେ କଏଦୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଏଥିପାଇଁ ବିଭିନ୍ନ ଜେଲରେ ଆଉ ୨୨୦୯ କ୍ଷମତା ବଢାଯିବ। ସେହିପରି ଅସୁସ୍ଥ କଏଦୀ ଓ ଖାଦ୍ୟ ନେବା ଆଣିବା ପାଇଁ ୪୦ ଜେଲକୁ ଇ-ରିକ୍ସା ଦିଆଯିବ। ସଜ୍ଜା କାଟୁଥିବା କଏଦୀଙ୍କ ରୋଜଗାର ବଢାଇବା ସହ ଜନସାଧାରଣଙ୍କୁ ବିଶୁଦ୍ଧ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ନିମନ୍ତେ ୨୨ ଜେଲରେ ମେଶିନ ସ୍ଥାପନ କରାଯିବ। ଜିଲା ଜେଲଗୁଡ଼ିକରେ ଚାଷ କାର୍ଯ୍ୟ ହେବ। ଏଥିପାଇଁ ୧୫ ଜେଲକୁ ପାୱାର ଟିଲର କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଜେଲ ମଧ୍ୟରେ ଥିବା ମେଡିକାଲ ଏବଂ ୱାର୍ଡରେ ସନ୍‌ଷ୍ଟ୍ରୋକ୍‌ ୱାର୍ଡ ଖୋଲିବା ସହ ଏସି ଲଗାଯିବ। କେତେକ ଜେଲରେ ଇସିଜି ମେଶିନ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହିତ କଏଦୀଙ୍କ ପାଇଁ ନୂତନ ଭାବେ ଝାରପଡ଼ା ସ୍ପେଶାଲ ଜେଲରେ ୨୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ଓ ପଦ୍ମପୁର, ଜଗତ୍‌ସିଂହପୁର, ସୋରଡା ଏବଂ ଜି. ଉଦୟଗିରିରେ ୧୦ଟି ବେଡ୍‌ ଲେଖାଏ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି। ଜେଲ୍‌ରେ ଅଚଳ ହୋଇ ପଡିଥିବା ସିସିଟିଭିର ମରାମତି କରାଯିବା ସହ ନୂଆ ସିସିଟିଭି କ୍ୟାମେରା ଲଗାଯିବ। ସେହିପରି ଯୋଗାଯୋଗ ପାଇଁ ୨୪ଟି ଜେଲରେ ଇଣ୍ଟରକମ୍‌ ବ୍ୟବସ୍ଥା କରାଯିବ। ଏଥିସିହିତ ୧୩ଟି ଜେଲରେ ଥିବା ଭିଡିଓ କନ୍‌ଫରେନ୍ସ ଟେକ୍ନୋଲୋଜିର ବିକାଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Share