Categories: ଜାତୀୟ

ମୋଦି-ଆଲବାନିସ୍‌ ଆଲୋଚନା: ଉଠିଲା ମନ୍ଦିର ଆକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ, ୧୧ା୩: ଭାରତ ଗସ୍ତରେ ଥିବା ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଅବସରରେ ମୋଦି ଅଷ୍ଟ୍ରେଲିଆରେ ନିକଟରେ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ। ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କ ସୁରକ୍ଷା ଓ କୁଶଳତା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ବୋଲି ଆଲବାନିସ୍‌ କହିଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ କେତେକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ମନ୍ଦିର ଆକ୍ରମଣ ପ୍ରସଙ୍ଗରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ସହ ନିୟମିତ ସମ୍ପର୍କରେ ରହିବ ଏବଂ ଯଥାସମ୍ଭବ ସହଯୋଗ ଯୋଗାଇଦେବ। ଏଭଳି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଗୁରୁତ୍ୱପୂର୍ଣ୍ଣ ବୋଲି ମିଳିତ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଜି୨୦ ଅଧ୍ୟକ୍ଷତାରେ ଅଷ୍ଟ୍ରେଲିଆର ସହଯୋଗ ପାଇଁ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଶ୍ୱର ଦକ୍ଷିଣ ଭାଗକୁ ନେତୃତ୍ୱ ଦେବାକୁ ଭାରତ ଅନନ୍ୟ ସ୍ଥିତିରେ ରହିଛି। ଭାରତର ନେତୃତ୍ୱ ବିନା ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜର ସମାଧାନ ସମ୍ଭବ ନୁହେଁ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ।

Share