ବଲାଙ୍ଗୀରରେ ବି ନବୀନଙ୍କୁ ଚ୍ୟାଲେଞ୍ଜ କଲେ ମୋଦି, କହିଲେ…

ବଲାଙ୍ଗୀର,୧୧।୫: କନ୍ଧମାଳ ପରେ ବଲାଙ୍ଗୀରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ସଭାକୁ ସମ୍ବୋଧନ କରିବା ସହ ସଭା ଆରମ୍ଭ ହେଉ ହେଉ ବିଜେଡି ଉପରେ ବର୍ଷିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠିକାର ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି। ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ନିଶ୍ଚିତ। ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ। ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା। ଆମ ସରକାର ପାଇକ ସଂଗ୍ରାମକୁ ସ୍ବୀକୃତି ଦେଇ ଡାକଟିକେଟ କରିଛି। ଭାଜପା ଜଣେ ଆଦିବାସୀ ଝିଅଙ୍କୁ ଦେଶର ରାଷ୍ଟ୍ରପତି କରିଛି।
ଓଡ଼ିଶା ଝିଅ ଆଜି ଦେଶକୁ ମାର୍ଗଦର୍ଶନ କରାଉଛନ୍ତି। ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି। ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି।

ମୋଦି ଆହୁରି କହିଛନ୍ତି, ଜୁନ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ। ଜୁନ ୧୦ରେ ଭାଜପା ସରକାର ଶପଥ ନେବେ। ଆପଣମାନଙ୍କୁ ନିମନ୍ତ୍ରଣ ରହିଲା। ଆପଣ ସମସ୍ତେ ଜୁନ ୧୦ରେ ଭୁବନେଶ୍ୱର ଆସିବେ। ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

ଏହି କ୍ରମରେ କନ୍ଧମାଳ ପରି ବଲାଙ୍ଗୀରରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୋଦି। ସେ କହିଛନ୍ତି, ନବୀନ ବାବୁ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି। ଯଦି ଏଠାକୁ ସେ ପ୍ରଚାରରେ ଆସନ୍ତି, ତାଙ୍କୁ ପଚାରିବେ। ତାଙ୍କୁ ବିନା କାଗଜରେ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ ପଚାରିବେ। ଦେଖିବେ ସେ ୧୦ଟି ଗାଁ ନାଁ ବି କହିପାରିବେନି।

 

Share