Categories: ଜାତୀୟ

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଲଗାତର ତୃତୀୟ ଥର ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଶପଥ ନେଇଛନ୍ତି। ରାଜ ଭବନରେ ରାଜ୍ୟପାଳ ଜଗଦୀପ ଧନକଡ ତାଙ୍କୁ ଶପଥ ପାଠ କରାଇଥିଲେ। କରୋନାକୁ ଦୃଷ୍ଟିରେ ରଖି ଏହି ଶପଥ ଗ୍ରହଣ ସମାରୋହ ଅତି ସରଳତାର ସହ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମମତା ଦିଦିଙ୍କୁ ଶୁଭେଚ୍ଛା। ଶପଥ ଗ୍ରହଣ କରିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ କରୋନା ସଂକ୍ରମଣ ବିରୋଧରେ ଲଢେଇ ଜାରି ରହିବ। ହିଂସା ଘଟଣାକୁ ବରଦାସ୍ତ କରାଯିବ ନାହିଁ। ହିଂସା ସହ ଜଡିତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମମତାଙ୍କ ପରେ ରାଜ୍ୟପାଳ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗ ଉଠାଇଥିଲେ। ମମତା ବାନାର୍ଜୀଙ୍କୁ ତାଙ୍କ ସାନ ଭଉଣୀ ବୋଲି ବର୍ଣ୍ଣନା କରି ରାଜ୍ୟପାଳ ଧନକଡ ତାଙ୍କୁ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ରହିବା ଉଚିତ୍‌ ବୋଲି ରାଜ୍ୟପାଳ କହିଛନ୍ତି।

Share