Categories: ଜାତୀୟ

ଯୋଗୀଙ୍କୁ ବଡ଼ ଟାସ୍କ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ଉତ୍ତମ ଶାସନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ଏହି ବୈଠକର ପ୍ରଥମ ଦିନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପା ଶାସିତ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।

ଲୋକ ସଭା ନିର୍ବାଚନରେ ଆଶା କରାଯାଉଥିବା ଫଳାଫଳ ନ ମିଳିବା ଯୋଗୁ ଉତ୍ତରପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପି ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯୋଗୀ ରାଜ୍ୟରେ ଏଭଳି ଯୋଜନା ଚଳାଉଛନ୍ତି ଯାହା ଦେଶର ଅନ୍ୟ ରାଜ୍ୟ ମଧ୍ୟ କାର୍ଯ୍ୟକାରୀ କରିବା ଉଚିତ।

ମୁଖ୍ୟମନ୍ତ୍ରୀ ପରିଷଦ ବୈଠକରେ ଆଦିତ୍ୟନାଥ ଗ୍ରାମ ସଚିବାଳୟ ଡିଜିଟାଲାଇଜେସନ ଏବଂ ରାଜ୍ୟ ଅର୍ଥନୀତି ଉପରେ ଏକ ଉପସ୍ଥାପନା କରିଥିଲେ ଏବଂ କହିଥିଲେ ଯେ, ରାଜ୍ୟର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାର କରିବା ଲକ୍ଷ୍ୟ। ସ୍ବଚ୍ଛ ଗଙ୍ଗା ମିଶନ ଏବଂ ସ୍ବଚ୍ଛ ଭାରତ ଅଭିଯାନଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଭାଜପା ମୁଖ୍ୟମନ୍ତ୍ରୀ ପରିଷଦରେ ଦୋହରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କୁ ଏକ ବଡ଼ ଟାସ୍କ ଦେଇଛନ୍ତି। ଜଳ ଜୀବନ ମିଶନ ଅଧୀନରେ ଥିବା ‘ପ୍ରତ୍ୟେକ ଘରକୁ ପାଣି ଟାପ୍‌’ ଯୋଜନା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଏହାସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଚାଲିଥିବା ଯୋଜନା ଶୀଘ୍ର ଶେଷ ହେବା ଉଚିତ। ଏହି ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନ ସହ ଉତ୍ତମ ସମନ୍ବୟ ରକ୍ଷା କରିବାକୁ କୁହାଯାଇଥିଲା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

 

Share