Categories: ଜାତୀୟ

ଶିକ୍ଷାର୍ଥୀଙ୍କୁ ଆତ୍ମବିଶ୍ୱାସ-ଆତ୍ମସଚେତନତା-ନିସ୍ବାର୍ଥପର ସେବାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୨: ଆତ୍ମବିଶ୍ୱାସ, ଆତ୍ମସଚେନତା ଏବଂ ନିସ୍ବାର୍ଥପର ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ଖଡ଼ଗପୁର ଆଇଆଇଟିର ୬୬ତମ ଦୀକ୍ଷାନ୍ତ ଉତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଶିକ୍ଷାର୍ଥୀମାନେ ନିଜର କ୍ଷମତା ସମ୍ପର୍କରେ ଅବଗତ ହୋଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ ଏବଂ ରିସର୍ଚ୍ଚର ଲୋକାର୍ପଣ କରି କହିଲେ ଯେ, ଏକବିଂଶ ଶତାବ୍ଦୀର ଭାରତରେ ବହୁ ପରିବର୍ତ୍ତନ ଆସିଛି। ଶିକ୍ଷାର୍ଥୀମାନେ ଦେଶର ବହୁବିଧ ବିକାଶ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ମେଦିନୀପୁର ଜିଲାର ବଳରାମପୁରଠାରେ ନିର୍ମିତ ଏହି ହସ୍ପିଟାଲରେ ୬୫୦ ଶଯ୍ୟା ରହିଛି। ହସ୍ପିଟାଲକୁ ଖଡ଼ଗପୁର ଆଇଆଇଟିର ସହଯୋଗରେ ନିର୍ମାଣ କରାଯାଇଛି।

Share