Categories: ଜାତୀୟ

ମୋଦିଙ୍କ ଲଫାପାରୁ ମିଳିଲା ଏତିକି ଟଙ୍କା

ଜୟପୁର,୨୬।୯: ରାଜସ୍ଥାନର ଭିଲୱାରା ଜିଲାରେ ଅବସ୍ଥିତ ମାଲାସେରୀ ଡୁଙ୍ଗରି ମନ୍ଦିରର ଦାନ ବାକ୍ସ ଖୋଲାଯାଇଛି। ଦାନ ବାକ୍ସରୁ ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଲଫାପା ଖୋଲାଯାଇଛି ଏବଂ ସେଥିରୁ ୨୧ ଟଙ୍କା ବାହାରିଛି। ମନ୍ଦିର ପୁରୋହିତ ହେମରାଜ ପୋସୱାଲ ଏହି ଦାବି କରିଛନ୍ତି। ଏଥି ସହିତ ମନ୍ଦିର ଦାନ ବାକ୍ସରୁ ଏପର୍ଯ୍ୟନ୍ତ ୧୯ ଲକ୍ଷ ଟଙ୍କା ମିଳିଛି। ଏବେ ବି ଟଙ୍କା ଗଣନା ଜାରି ରହିଛି। ଏହି ଦାନ ବାକ୍ସ ବର୍ଷକୁ ଥରେ ଖୋଲାଯାଏ। ଆଠ ମାସ ହେବ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଲଫାପା ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଥିଲେ।
ଗତ ଜାନୁଆରୀ ୨୮ରେ, ପ୍ରଧାନମନ୍ତ୍ରୀ ମୋଦି ମାଲାସେରୀ ଡୁଙ୍ଗରି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ସେ ମନ୍ଦିରର ଦାନ ବାକ୍ସରେ ଏକ ଲଫାପା ରଖିଥିଲେ। ମନ୍ଦିର ପୁରୋହିତ ହେମରାଜ ପୋସୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଫାପାକୁ ନେଇ ଆମେ ସମସ୍ତେ ଉତ୍ସାହିତ ଥିଲୁ। ଆଠ ମାସ ପର୍ଯ୍ୟନ୍ତ ଏହାକୁ ଖୋଲିବା ପାଇଁ ଅପେକ୍ଷା କରିଥିଲୁ। ସୋମବାର ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ସାମ୍ନାରେ ସେହି ଲଫାପାଟି ଖୋଲା ଖୋଲାଯାଇଥିଲା, ଯେଉଁଥିରୁ ୨୦ ଟଙ୍କିଆ ନୋଟ ଏବଂ ଗୋଟିଏ ଟଙ୍କା ମୁଦ୍ରା ମିଳିଥିଲା। ପୁରୋହିତ ହେମରାଜ ଦାବି କରିଛନ୍ତି ଯେ, ଦାନ ବାକ୍ସରୁ ତିନୋଟି ଲଫାପା ବାହାରିଛି। ଗୋଟିଏ ଲଫାପାରୁ ୨୧୦୦ ଟଙ୍କା ଏବଂ ଅନ୍ୟଟିରୁ ୧୦୧ ଟଙ୍କା ବାହାରିଛି। ଏହି ଉଭୟ ଲଫାପାଗୁଡ଼ିକ ଭିନ୍ନ ରଙ୍ଗର ଥିଲା। ପ୍ରଧାନମନ୍ତ୍ରୀ ମୋଦି ଦାନ ବାକ୍ସରେ ରଖିଥିବା ଧଳା ରଙ୍ଗର ଲଫାପାରୁ ୨୧ ଟଙ୍କା ବାହାରିଛି।

Share