Categories: ଜାତୀୟ

ବିରୋଧୀଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଲେ ନଡ୍ଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୭ ବର୍ଷ ପୂରଣ ଅବସରରେ ରବିବାର ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଟିକା ପ୍ରସଙ୍ଗରେ ବିରୋଧୀଙ୍କୁ ଘେରି ରହି ସେ କହିଛନ୍ତି ଯେ, କରୋନା ଟିକାକୁ ପ୍ରଥମେ ମୋଦି ଟିକା ବୋଲି କୁହାଯାଉଥିଲା ଏବଂ ଆମର ବୈଜ୍ଞାନିକଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏବେ ସେମାନେ ଏହି ଟିକା ପାଇଁ ଚିତ୍କାର କରୁଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି। ଦେଶ ଆତ୍ମନିର୍ଭରଶୀଳ ପଥରେ ଆଗେଇ ଚାଲିଛି ବୋଲି ନଡ୍ଡା କହିଛନ୍ତି। ବିରୋଧୀଦଳଙ୍କ ଉପରେ ବର୍ଷି ସେ କହିଛନ୍ତି ଯେ, ଯେଉଁମାନେ ଆଜି କୋଭିଡ ଟିକାକୁ ନେଇ ଚିତ୍କାର କରୁଛନ୍ତି, ସେହି ବ୍ୟକ୍ତିମାନେ ଟିକା ଉପରେ ଗବେଷଣା କରିବା ସମୟରେ ଭାରତର ଆତ୍ମବିଶ୍ୱାସ ଭାଙ୍ଗିବା ପାଇଁ କାର୍ଯ୍ୟ କରିଥିଲେ। ଦେଶର ମନୋବଳ ଭାଙ୍ଗିଥିବା ଲୋକମାନେ ହିଁ କରୋନା ବିଷୟରେ ଦାୟିତ୍ୱହୀନ ବିବୃତ୍ତି ଦେଇଛନ୍ତି। କିଛି ଲୋକ ଟିକାକୁ ନେଇ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରୁଛନ୍ତି। କିନ୍ତୁ ଏହା ଆମକୁ ଆମ ପଥରୁ ବିଚ୍ୟୁତ ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି।

Share