ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ। ତେବେ ଏଥିଲାଗି ସରକାର ଆନ୍ଧ୍ରପ୍ରଦେଶ ଭଳି ମଡେଲ ଲାଗୁ କରିବା ଉପରେ ବିଚାର କରୁଛନ୍ତି। ଏଥିଯୋଗୁ କର୍ମଚାରୀଙ୍କୁ ୪୦-୫୦% ଯାଏ ନିର୍ଦ୍ଧାରିତ ପେନ୍‌ସନର ଗ୍ୟାରେଣ୍ଟି ମିଳିଯାଇପାରେ। ଯଦି ଏଭଳି ହୁଏ ତେବେ ୨୦୦୪ରେ ପେନସନ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପରେ ଏହା ବଡ଼ ପରିବର୍ତ୍ତନ ହେବ। ଏବେ ଏନ୍‌ପିଏସ୍‌ରେ ଯୋଗଦାନ ଆଧାରରେ କର୍ମଚାରୀଙ୍କୁ ପେନସନ୍‌ ମିଳୁଛି। ହେଲେ ପୁରୁଣା ପେନସନ ବ୍ୟବସ୍ଥା ଅନୁଯାୟୀ ଅବସର ସମୟରେ କର୍ମଚାରୀ ପାଉଥିବା ଅନ୍ତିମ ଦରମା ଆଧାରରେ ୫୦% ଟଙ୍କା ପେନସନ ଭାବେ ମିଳୁଥିଲା।
ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଯେଉଁ ନୂଆ ନିୟମ ପ୍ରସ୍ତୁତ କରୁଛନ୍ତି, ତାହା ମୁତାବକ କର୍ମଚାରୀଙ୍କୁ ୪୦-୫୦% ଟଙ୍କାର ନିର୍ଦ୍ଧାରିତ ପେନସନ ଅଫର ମିଳିଯାଇପାରେ। ସରକାରୀ କର୍ମଚାରୀ ଅବସର ପୂର୍ବରୁ ଯେଉଁ ଅନ୍ତିମ ଦରମା ପାଇଥିବେ, ତାହା ଆଧାରରେ ୪୦-୫୦% ରାଶି ପେନସନ ଭାବେ ମିଳିବ। ଏହା ଅଧିକାଂଶ ଭାବେ ଆନ୍ଧ୍ର ମଡେଲ ଭଳି ହେବ। ଏଥିରେ ମାର୍କେଟ ଲିଙ୍କ ବ୍ୟବସ୍ଥା ଆପଣାଯିବ। ନିର୍ଦ୍ଧାରିତ ପେନସନ୍‌ ଲାଗି କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ରାଶି ଯୋଗଦାନ କରିବାକୁ ହେବ। ବାକି ଆବଶ୍ୟକ ଟଙ୍କା ସରକାର ପୈଠ କରିବେ। କର୍ମଚାରୀଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ।
ଏବେ କ’ଣ ରହିଛି ବ୍ୟବସ୍ଥା:
ନୂତନ ପେନସନ ସ୍କିମ ଅନୁଯାୟୀ କର୍ମଚାରୀଙ୍କୁ ନିଜର ବେସିକ ସାଲାରୀର ୧୦% ଏବଂ ସରକାର ତାର ବେସିକ ସାଲାରୀର ୧୪% ରାଶି ପେନସନ ଫଣ୍ଡ ଯୋଗଦାନ କରିଥାଏ। ଏହା ଆଧାରରେ ଜମା ରାଶି ଅନୁଯାୟୀ ପେନସନ ମିଳିଥାଏ। ଯଦି ନୂଆ ପ୍ରସ୍ତାବ ଲାଗୁ ହୋଇଯାଏ ତେବେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ହୋଇପାରେ। କାରଣ ଏବେ ନୂତନ ସ୍କିମ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ତାଙ୍କର ଅନ୍ତିମ ଦରମା ତୁଳନାରେ ୩୮% ରାଶି ବରାବର ପେନସନ ମିଳିଥାଏ। ଏହା ୫୦% ଯାଏ ହୋଇଗଲେ କର୍ମଚାରୀମାନେ ଖୁସି ହୋଇଯିବେ।
କହିରଖୁଛୁ, ପୁରୁଣା ପେନସନ ସ୍କିମ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇସାରିଛି। ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ହିମାଚଳ ପ୍ରଦେଶ ଏବଂ କର୍ନାଟକରେ କଂଗ୍ରେସ ବିଜେତା ହେବା ପଛରେ ପୁରୁଣା ପେନସନ ଯୋଜନାର ବଡ଼ ଯୋଗଦାନ ଥିଲା। କଂଗ୍ରେସର ସରକାର ଛତିଶଗଡ଼, ହିମାଚଳ ପ୍ରଦେଶ, ଝାରଖଣ୍ଡରେ ପୁରୁଣା ପେନସନ ସ୍କିମ ଲାଗୁ କରିଦେଇଛନ୍ତି। ବିରୋଧୀ ଦଳ ଏବଂ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଏନ୍‌ପିଏସ୍‌ରେ ସୁଧାର ଆଣିବା ଲାଗି କମିଟି ଗଠନ ଲାଗି ଘୋଷଣା କରିଥିଲେ। ଯଦି ସରକାର ନୂଆ ବ୍ୟବସ୍ଥା ଲାଗୁ କରାଯାଏ ତେବେ ପୁରୁଣା ଏବଂ ନୂତନ ବ୍ୟବସ୍ଥାରେ ବଡ଼ ପ୍ରାର୍ଥକ୍ୟ ନଜର ଆସିବ। ପୁରୁଣା  ପେସନ ଯୋଜନାରେ କର୍ମଚାରୀଙ୍କୁ ନିଜ ତରଫରୁ ଯୋଗଦାନ ଦେବାକୁ ପଡ଼ୁ ନ ଥିଲା। ହେଲେ ନୂଆ ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କୁ ମଧ୍ୟ ଯୋଗଦାନ ଦେବାକୁ ପଡ଼ୁଛି।
Share