ନୂଆଦିଲ୍ଲୀ,୬।୮: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ଟିଏମସି ଏମ୍ପି ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବିଜୟ ବୋଲି କହିଛନ୍ତି। ରବିବାର ସେ କହିଛନ୍ତି, ସରକାର ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଶୋଧ ନେବା ରାଜନୀତି କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ସଂସଦରେ ଅଧିକ ହଟ୍ଟଗୋଳ ଦେଖିବାକୁ ମିଳିବ।
ସିହ୍ନା କହିଛନ୍ତି, ଆପଣ ପ୍ରତିଶୋଧ ରାଜନୀତିରେ ଭରତ ଯୋଡୋ ଯାତ୍ରାର ହିରୋ ରାହୁଲ ଗାନ୍ଧୀଙ୍କ ସହ ଏହା କରିଛନ୍ତି। ବିଚଳିତ ସରକାର ୨୪ ଘଣ୍ଟା ମଧ୍ୟରେ ରାହୁଲ ଜୀଙ୍କୁ ବହିଷ୍କାର କରିଥିଲେ, ସଦସ୍ୟତା ବାତିଲ କରି ତାଙ୍କୁ ଘରୁ ତଡି ଦେଲେ। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ଏହିପରି ହେବ ଏବଂ ଏହା ମଧ୍ୟ ସୁପ୍ରିମକୋର୍ଟଙ୍କ ଆଶୀର୍ବାଦ, ସମର୍ଥନ ଏବଂ ନ୍ୟାୟ ସହିତ। ପୁଣିଥରେ ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ଏହା ହେଉଛି ସମଗ୍ର ବିରୋଧୀ ‘ଇଣ୍ଡିଆ’ର ବିଜୟ। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ ଅଛନ୍ତି ବୋଲି ଶତ୍ରୁଘ୍ନ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ,ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ ଆବେଦନ ବିଚାର ନ ହେବା ପର୍ଯ୍ୟନ୍ତ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ କହିଛି, ଏହା ହେଉଛି ଘୃଣା ବିରୋଧରେ ପ୍ରେମର ବିଜୟ। ସତ୍ୟମେବ ଜୟତେ-ଜୟ ହିନ୍ଦ। ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ।